ଓଡିଶା ଭାସ୍କର: ମା’ ହେବା ସବୁ ମହିଳାଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ ଅଟେ । ଖୁସିରେ ମହିଳା ଝୁମି ଉଠେ, ତା କୋଳକୁ ନିଜ ସନ୍ତାନ ଆସିଲେ । କୁଆଁ କୁଆଁ ରାବରେ ମହିଳାଙ୍କ ଜୀବନ ରଙ୍ଗୀନ ହୋଇ ଉଠେ । ମହିଳା ଜଣକ ସାଜନ୍ତି ସନ୍ତାନର ଲାଳନପାଳନର ହର୍ତ୍ତାକର୍ତ୍ତା ଓ ବିଧାତା । ହେଲେ ସମସ୍ତେ ମା’ ହୋଇ ପାରନ୍ତି ନି । ଯାହା ସେମାନଙ୍କ ସନ୍ତାନଙ୍କ ଆଶାକୁ ସ୍ୱପ୍ନରେ ହିଁ ରଖିଦିଏ ।
ଅନେକ ମହିଳା ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବି ଗର୍ଭଧାରଣ କରି ପାରନ୍ତି ନାହିଁ । ଏହାର ଏକ ବଡ କାରଣ ହେଉଛି ଏଣ୍ଡୋମୈଟ୍ରିଓସିସ ରୋଗ । ଏହି ରୋଗ ଧୀରେ ଧୀରେ ମହିଳାଙ୍କ କ୍ଷେତ୍ରରେ ସାଧାରଣ ହେବାରେ ଲାଗିଛି । ଏହାବାବଦରେ ବହୁତ କମ ଲୋକ ଜାଣନ୍ତି । ଏହାର ଲକ୍ଷଣ, କାରଣ ଓ ଉପଚାର ବାବଦରେ ଜାଣିବା ।
ଏଣ୍ଡୋମୈଟ୍ରିଓସିସ ଏମିତି ଏକ ରୋଗ ଯେଉଁଥିରେ ମହିଳାଙ୍କ ଗର୍ଭାଶୟର ଅନ୍ତରୁନୀ ପରତ ( ଏଣ୍ଡୋମେଟ୍ରିୟମ୍) ବାହାରକୁ ବଢିବାକୁ ଲାଗେ । ସାଧାରଣତଃ ଏହା ଅଣ୍ଡାଶୟ, ପୈଲୋପିୟନ ଟ୍ୟୁବ ଓ ପେଟର ଅନ୍ୟ ଅଂଶରେ ବଢିପାରେ । ଯାହାଦ୍ୱାରା ମହିଳାଙ୍କ ମାସିକ ଋତୁସ୍ରାବରେ ମଧ୍ୟ ଏହାର ପ୍ରଭାବ ପଡେ । ଏହି ରୋଗ ହେଲେ ବହୁତ କଷ୍ଟ ହୁଏ ମହିଳାଙ୍କୁ । ତାହାସହ ବାରମ୍ବାର ପିରିୟଡସ ସମସ୍ୟା ଓ ବନ୍ଧ୍ୟାଦୋଷର ଶିକାର ହେବାର ଆଶଙ୍କା କରାଯାଇପାରେ । କାରଣ ଏହା ପିରିୟଡସ ସମୟରେ ଅନ୍ତରୁନୀ ପରତ (ଏଣ୍ଡୋମେଟ୍ରିୟମ୍ )କୁ ଫଟାଇ ଦିଏ । ଫଳରେ ଅତ୍ୟଧିକ ରକ୍ତସ୍ରାବ ହୁଏ ।
ମହିଳାଙ୍କ ପେଟ ଓ ପୀଠିରେ ପୀଡା ହେବା, ଅଧିକ ଋତୁସ୍ରାବ ହେବା, ଦୁର୍ବଳ ଲାଗିବା, ଶୌଚ ଓ ମଳତ୍ୟାଗ ସମୟରେ ଅସୁବିଧା ହେବା ଭଳି ଲକ୍ଷଣ ଏହି ରୋଗ ଆଡକୁ ଇଙ୍ଗିତ କରେ । ଚିକିତ୍ସା ବିଜ୍ଞାନରେ ଏହି ରୋଗର ସଠିକ କାରଣ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ, ସମ୍ଭାବିତ କାରଣ ମଧ୍ୟରେ ହର୍ମୋନ ଅସନ୍ତୁଳନ, ପାରିବାରିକ ଇତିହାସ, ପ୍ରତିରକ୍ଷା ପ୍ରଣାଳୀରେ ଦୁର୍ବଳତା ତଥା ସର୍ଜରୀକୁ ଦାୟୀ କରାଯାଇପାରେ ଏହି ରୋଗ ପାଇଁ ।
ଏଣ୍ଡୋମୈଟ୍ରିଓସିସ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ସମ୍ଭବ ନୁହେଁ । ମାତ୍ର, ପୀଡା କମ କରିବା ପାଇଁ ଏହି ରୋଗରେ ଔଷଧ ରହିଛି । ହର୍ମୋନଲ ଥେରାପିର ମଧ୍ୟ ବ୍ୟବହାର କରାଯାଇପାରେ । ତାହାସହ ସର୍ଜରୀ ଓ ଜୀବନଶୈଳୀରେ ପରିବର୍ତ୍ତନ ହିଁ ଏହି ରୋଗରୁ ମହିଳାଙ୍କୁ ମୁକ୍ତି ଦିଏ ।