ନୂଆଦିଲ୍ଲୀ: କିଛି ଦିନ ଭିତରେ ଭାରତୀୟ କ୍ରୀଡ଼ା ଜଗତରେ ଅନେକ ଖେଳାଳି ଅବସର ଘୋଷଣା କରିଛନ୍ତି । କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳି ବିରାଟ କୋହଲି ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାପରେ ଆଉ ଜଣେ ଭାରତୀୟ ଖେଳାଳି ମଧ୍ୟରୁ ନିଜ ଅବସର ଘୋଷଣା କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ ପୂର୍ବରୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଗୋଲ୍ କିପର ପି.ଆର ଶ୍ରୀଜେଶ ବର୍ତ୍ତମାନ ସନ୍ନ୍ୟାସ ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୪ ବର୍ଷର ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଜେଶ ।
ଅଲିମ୍ପିକ୍ସ ଇତିହାସରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ଅଲିମ୍ପିକ୍ସରେ ଭାରତକୁ ମେଡାଲ ଆଣିବାରେ ଖୁବ ଆଗରେ ରହିଛି ଭାରତୀୟ ହକି ଦଳ । ତେଣୁ ଚଳିତବର୍ଷ ମଧ୍ୟ ପୋଡିୟମରେ ଟପ୍ ପୋଜିସନରେ ରହି ଶ୍ରୀଜେଶ ବିଦାୟ ନେବାକୁ ଚାହିଁବେ । ସେ କହିଛନ୍ତି ଯେ, ପ୍ୟାରିସରେ ନିଜ ଶେଷ ମିଶନ ପାଇଁ ପ୍ରସ୍ତୁତି କରିବା ବେଳେ ଇତିହାସ ମୋତେ ଏକ ବଡ଼ ଆଶା ସହିତ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଉଛି । ଏହି ଯାତ୍ରା ଅସାଧାରଣ ରହିଥିଲା । ଏଥିପାଇଁ ମୁଁ ମୋ ପରିବାର, ସାଥୀ, କୋଚ୍, ପ୍ରଶଂସକ ଏବଂ ହକି ଇଣ୍ଡିଆରୁ ମିଳିଥିବା ଭଲ ପାଇବା ଓ ସମର୍ଥନ ପାଇଁ କୃତଜ୍ଞ । ମୋ ଉପରେ ଭରଷା କରିଥିବାରୁ ଧନ୍ୟବାଦ…’ ।
ତେବେ ଅବସର ଘୋଷଣା ପରେ ସାଥୀ ଖେଳାଳିଙ୍କ ସହ ମିଶିବା ସମୟରେ ଇମୋସନାଲ ହୋଇଯାଇଛନ୍ତି ଶ୍ରୀଜେଶ । ଜୁଲାଇ ୨୬ ତାରିଖରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଥିବା ବେଳେ ଶ୍ରୀଜେଶଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତେବେ ୨୦୧୦ ମସିହାରେ ହକି ଦଳରେ ଡେବ୍ୟୁ କରିଥିଲେ ଶ୍ରୀଜେଶ । ବର୍ତ୍ତମାନ ସୁଦ୍ଧା ନିଜ କ୍ୟାରିୟରରେ ୩ ଥର ଅଲିମ୍ପିକ୍ସରେ ଟିମ ଇଣ୍ଡିଆର ପ୍ରତିନିଧିତ୍ୱ କରି ସାରିଛନ୍ତି । ତେବେ ଚଳିତବର୍ଷ ଶେଷ ଥର ପାଇଁ ସେ ଅଲିମ୍ପିକ୍ସରେ ପାଦ ଥାପିବାକୁ ଯାଉଛନ୍ତି । ଏହାପରେ ସେ ହକି ଜଗତରୁ ବିଦାୟ ନେବେ ପୂର୍ବ ଅଧିନାୟକ ଶ୍ରୀଜେଶ୍ ।