fbpx

ଏ ପ୍ରାର୍ଥନା ବର୍ଷା ପାଇଁ..ହେ ପ୍ରଭୁ ବର୍ଷା ଦିଅ! କାଶ୍ମୀରରେ ଗରମ ଭାଙ୍ଗିଲା ୨୫ ବର୍ଷର ରେକର୍ଡ, ଖାଲି ପାଦରେ ଦରଗାହରେ ପ୍ରାର୍ଥନା

ଓଡିଶା ଭାସ୍କର: ଉତ୍ତର ଭାରତର ଅନେକ ସ୍ଥାନରେ ବର୍ଷା ନିଜର କାୟାକଳ୍ପ ବର୍ଷାଉଛି । ଉତ୍ତରଖଣ୍ଡ ଓ ହିମାଚଳପ୍ରଦେଶରେ ମଧ୍ୟ ବର୍ଷା ବେଶ୍ ଛେଚୁଛି । ହେଲେ କଶ୍ମୀର ଉପରେ ଇନ୍ଦ୍ରଦେବଙ୍କ ବୋଧେ କୋପ ଦୃଷ୍ଟି ପଡିଛି । ଲୋକଙ୍କୁ ଏବେ ବି ମାନେ ଜୁଲାଇ ଶେଷରେ ବି ଗରମ ଅସ୍ତବ୍ୟସ୍ତ କରି ଦେଇଛି । ଏଠାରେ ୨୫ ବର୍ଷର ରେକର୍ଡ ଭାଙ୍ଗିଛି ଗରମ । ୧୯୯୯ ମସିହା ପରେ ଭାରତର ସ୍ୱର୍ଗରେ ଏତେ ଗରମ ହେଉଛି । ସେଥିପାଇଁ କଶ୍ମୀରସ୍ଥିତ ବଡଗାମରେ ହଜାର ହଜାର ଲୋକ ଖୋଲା ପାଦରେ ଦରଗାହ ଯାଇ ପ୍ରାର୍ଥନା କରିଛନ୍ତି ବର୍ଷା ପାଇଁ । ସେମାନେ ପ୍ରଭୁଙ୍କୁ କହୁଛନ୍ତି, ‘ହେ ପ୍ରଭୁ, ସର୍ବଶକ୍ତିମାନ ଆମ ପାପକୁ କ୍ଷମା କର’।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଶ୍ରୀନଗରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ୨୫ ବର୍ଷରେ ଏଠାରେ ସର୍ବାଧିକ ତାପମାତ୍ରା । ସେହିଭଳି କେବଳ ଶ୍ରୀନଗର ନୁହଁ ବରଂ କାଜିଗୁଣ୍ଡ ଓ କୁକେରନାଗରେ ମଧ୍ୟ ତାପମାତ୍ରା ଯଥାକ୍ରମେ ପ୍ରାୟ ୩୫.୬ ଓ ୩୪.୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଏହିସବୁ ସ୍ଥାନରେ ତାପମାତ୍ରା ପ୍ରାୟ ୬.୩ ଡିଗ୍ରୀ, ୭.୭ ଡିଗ୍ରୀ ଓ ୮.୭ ଡିଗ୍ରୀ ହିସାବରେ ବଢିଛି ।

ଏହାପୂର୍ବରୁ କାଶ୍ମୀରରେ ୧୯୪୬ ମସିହା ଜୁଲାଇ ୧୦ ତାରିଖରେ ୩୮.୩ ଡିଗ୍ରୀ ସେଲସିୟସ, ୯ ଜୁଲାଇ ୧୯୯୯ ରେ ୩୭ ଡିଗ୍ରୀ ସେଲସିୟସ ଓ ୧୯୯୭ ମସିହାରେ ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେଥିପାଇଁ କାଶ୍ମୀରରେ ଏବେ ସାମୂହିକ ଭାବରେ ଏଭଳି ପ୍ରାର୍ଥନା କରାଯାଇଛି । ଲୋକେ ଆକୁଳ ହୋଇ ପଡିଛନ୍ତି ବର୍ଷା ପାଇଁ । ଟୋପାଏ ଜଳ ଆକାଶରୁ କେବେ ପଡିବ ସେମାନେ ବି ଜାଣି ନାହାନ୍ତି । ଏ ପ୍ରାର୍ଥନା ସେମାନଙ୍କୁ କେବେ ଆଶୀର୍ବାଦ ପ୍ରଦାନ କରିବ ତାହା ତ ସମୟ ଆସିଲେ ଜଣା ପଡିବ ।

Get real time updates directly on you device, subscribe now.