fbpx

IPS ରାଜେଶ ପଣ୍ଡିତଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ: ତୁରନ୍ତ କାର୍ଯ୍ୟକାରୀ ପାଇଁ ଗୃହ ବିଭାଗକୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ରାଜେଶ ପଣ୍ଡିତଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଗୃହ ବିଭାଗକୁ ଏକ ଚିଠି ଲେଖାଯାଇଛି । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ଆଇପିଏସ ରାଜେଶଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ନିର୍ଦ୍ଦେଶନାମା ପରେ ନିଲମ୍ବନ ସମୟରେ ରାଜେଶ ପୋଲିସ ହେଡକ୍ୱାର୍ଟରରେ ରହିବେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ବିନା ଅନୁମତିରେ ରାଜେଶ ହେଡକ୍ୱାର୍ଟର ଛାଡ଼ି ପାରିବେ ନାହିଁ ବୋଲି କୁହାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଗତ ୨୭ ତରିଖରେ ଘଟିଥିବା ଘଟଣା ପାଇଁ ରାଜେଶଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜେଶ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୭ ତରିଖରେ କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଡିଆଇଜି ରାଜେଶ ଦୁର୍ବ୍ୟବହାର ପ୍ରର୍ଦନ କରିଥିଲେ । ଗତକାଲି ରାଜେଶ ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜେଶଙ୍କ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡିଆଇଜି ଭାବେ କାର୍ଯ୍ୟରତ ଥିଲେ ।

Get real time updates directly on you device, subscribe now.