fbpx

କିଏ ବନ୍ଧୁ ପାଇଁ ଉପଯୁକ୍ତ, ପ୍ରକୃତ ବନ୍ଧୁ କାହାକୁ କହିବା, ବନ୍ଧୁ ତିଆରି କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା…..

ଓଡିଶା ଭାସ୍କର: ମିତ୍ରତା! କେତେ ସୁନ୍ଦର ଶବ୍ଦ । ଯାହାର ପରିକଳ୍ପନା କରିବା ମଧ୍ୟ କଷ୍ଟକର । ଶବ୍ଦ ଓ ଭାବରୁ ବି ଉର୍ଦ୍ଧ୍ୱରେ ଥାଏ ବନ୍ଧୁ । ଜନ୍ମ ପରେ ଏହା ପ୍ରଥମ ସଂପର୍କ ଥାଏ, ଯାହା ଆମେ ନିଜେ ତିଆରି କରିଥାଉ । ବାପା-ମା, ଭାଇ-ଭଉଣୀ, କାକା-କାକୀ ତଥା ମଉସା-ମାଉସୀ ଭଳି ସମ୍ପର୍କ ତ ଜନ୍ମ ସହ ଆମର ଜଡିତ ଥାଏ । ମାତ୍ର ଏ ସମସ୍ତ ସମ୍ପର୍କରୁ ବେଶ୍ ଉର୍ଦ୍ଧ୍ୱରେ ରୁହେ ମିତ୍ରତା । ସେଥିପାଇଁ ତ ପ୍ରତିବର୍ଷ ଫ୍ରେଣ୍ଡସିଫ ଡେ’ ସମର୍ପିତ ଥାଏ ଏହି ବନ୍ଧୁତ୍ୱ ପାଇଁ । ଅଗଷ୍ଟ ମାସର ପ୍ରଥମ ରବିବାର ଏହା ପାଳିତ ହୁଏ ।

ସମସ୍ତଙ୍କ ଜୀବନରେ ବନ୍ଧୁ ରହିବା ନିହାତି ଆବଶ୍ୟକ । ସାଙ୍ଗ ସେହି ସାରଥି ଅଟେ ଯିଏ ସୁଖଦୁଃଖ, ହସକାନ୍ଦରେ ଆମ ଜୀବନରେ ଥାଏ । ସେ ଦୁଃଖ ଦୂର କରେ ଓ ସେ ହିଁ କେବେ କେବେ ଦୁଃଖ ଦିଏ । ଯାହା ଜଣକ ପାଇଁ କେତେ ଯେ କଷ୍ଟକର ହୋଇ ଉଠେ ସେହି ନିଭାଇଥିବା ଲୋକ ହିଁ ଜାଣେ । ସେଥିପାଇଁ ବନ୍ଧୁ ତିଆରି କରିବା ପୂର୍ବରୁ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ମାନିବା ନିତାନ୍ତ ଆବଶ୍ୟକ । ତାଙ୍କର ନୀତିଶାସ୍ତ୍ର ତ ଜୀବନର ପ୍ରତିଟି ଘଟଣା ଉପରେ ଆଧାରିତ । ମାତ୍ର ଚାଣକ୍ୟ ବନ୍ଧୁତ୍ୱକୁ ନେଇ କ’ଣ କହନ୍ତି ଜାଣନ୍ତୁ …

ଏହି କାର୍ଯ୍ୟରେ ବନ୍ଧୁକୁ କରନ୍ତୁନି ସହାୟତା: ଜଣଙ୍କର ମିତ୍ରତା ଯେତେ ବି ଘନିଷ୍ଠ ହୋଇ ଥାଉ ନା କାହିଁକି ଖରାପ କାମରେ ବନ୍ଧୁକୁ ସାହାଯ୍ୟ କରିବା ଉଚିତ ନୁହଁ । ନିଜର ଖରାପ କାମକୁ ପ୍ରୋତ୍ସାହିତ କରୁଥିବା କିମ୍ବା ସହଯୋଗ କରୁଥିବା ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ ନାହିଁ । ଦିନେ ଏଥିପାଇଁ ଜଣେ ପଶ୍ଚାତାପ କରିବା ଥୟ ।

ସାଙ୍ଗକୁ କେବେ ବି ଅନ୍ଧବିଶ୍ୱାସର ସହ ଭଲ ପାଆନ୍ତୁ ନାହିଁ: ବନ୍ଧୁଙ୍କ ଉପରେ ବିଶ୍ୱାସ କରିବା ନିଶ୍ଚିତଭାବରେ ଭଲ । ମାତ୍ର ଆଖି ବନ୍ଦ କରି ସାଙ୍ଗକୁ ବିଶ୍ୱାସ କଲେ, ପରେ ନିଜେ ନିଜକୁ ବି କ୍ଷମା କରିବାର ସମୟ ନ ଥାଏ । ପରେ ପଶ୍ଚାତାପ ଛଡା ଆଉ କିଛି ବଞ୍ଚି ନ ଥାଏ ।

ଏମିତି ସାଙ୍ଗଠୁ ଦୂରେଇ ରୁହନ୍ତୁ: ଯିଏ ବିପଦ ସମୟରେ ସାହାଯ୍ୟ କରେ ତାକୁ ହିଁ ପ୍ରକୃତ ବନ୍ଧୁ କୁହାଯାଏ । ସେଥିପାଇଁ ଯେଉଁ ସାଙ୍ଗ ବିପଦ ସମୟରେ ନିଜଠୁ ଦୂରେଇ ଯାଏ, ସେମିତି ସାଙ୍ଗ ସହ ରହିବା ଉଚିତ ନୁହେଁ । ବିପଦ ସମୟରେ ହିଁ ବନ୍ଧୁତ୍ୱର ଅଗ୍ନି ପରୀକ୍ଷା ହୋଇଥାଏ । ଯାହା ପ୍ରକୃତ ବନ୍ଧୁତ୍ୱର ନିଦର୍ଶନ ଛାଡିଯାଏ ।

ଏହି କାର୍ଯ୍ୟ ନିଶ୍ଚିତ କରନ୍ତୁ: ବନ୍ଧୁତା କେବେ ବି କୌଣସି ବି ସ୍ଥାନରେ କାହା ସହ ବି ହୋଇପାରେ । ମାତ୍ର ବନ୍ଧୁତା କରିବା ପୂର୍ବରୁ ବ୍ୟକ୍ତି ବାବଦରେ ଟିକେ ଯାଞ୍ଚ କରି ନେବା ଠିକ ହୋଇଥାଏ ବୋଲି ଚାଣକ୍ୟ ନୀତି କୁହେ । ଏମିତି ନ ହେଉ କି ଆପଣ ଜଣେ ଖରାପ ବ୍ୟକ୍ତିଙ୍କ ସହ ବନ୍ଧୁ ହୋଇ ସାରିଛନ୍ତି ଓ ଆପଣକୁ ପରେ ପଶ୍ଚାତାପ କରିବାକୁ ପଡୁଛି । ସେଥିପାଇଁ ଏ ଦିଗରେ ଯଥେଷ୍ଟ ଯତ୍ନବାନ ହେବା ଆବଶ୍ୟକ । ନହେଲେ ସେହି ବ୍ୟକ୍ତି ଜଣକ ଆପଣଙ୍କ ଅସୁବିଧାର କାରଣ ସାଜି ପାରନ୍ତି ।

Get real time updates directly on you device, subscribe now.