fbpx

Video; ରାଜ୍ୟ ରାଜନୀତିରେ ଝଡ଼, ବିଜେଡିର ବଡ଼ ନେତା ବିଜେପିରେ ମିଶିବେ ବୋଲି କହିଲେ ବିଧାୟକ!…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ ରାଜନୀତିରେ ବଡ଼ ହଲ୍‌ଚଲ୍ । ‘ବିଜେପିରେ ମିଶିବେ ବଡ଼ ବିଜେଡି ନେତା’ । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍‌ରେ ଅଛନ୍ତି ଅନେକ ବଡ ନେତା’ । ଛିଡୁଛି ବିଜେଡି, ବଢୁଛି ବିଜେପି । ଏଭଳି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋରଦାର ହୋଇଛି । ନିର୍ବାଚନ ପୂର୍ବରୁ ଯଦିଓ କିଛି ବିଜେଡି ନେତା ବିଜେପିରେ ମିଶିଥିଲେ ଏହା ପଛରେ କିନ୍ତୁ ଦଳୀୟ ଟିକେଟ୍ ହାତେଇବା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ତେଣୁ ଏହି ଚର୍ଚ୍ଚା ସେହି ସମୟର ନୁହେଁ । ବରଂ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ କିଛି ଘଟଣାରୁ ଆରମ୍ଭ ହୋଇଛି ବିଜେଡି ଛିଡୁଥିବାର ଚର୍ଚ୍ଚା ।

ବିଶେଷ କରି ଗତ ଜୁଲାଇ ୩୧ରେ ବିଜେଡିର ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେବା ଏବଂ ଏହାର ଠିକ୍ ପରଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିବା ଏହି ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଥିଲା । ବିଜେଡି ଛାଡିବା ପରେ ମମତା ନିଜ ଅସନ୍ତୋଷକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ସେ ବିଜେଡିରେ ଅଲୋଡା ହୋଇପଡିଥିଲେ । ଦଳ ତାଙ୍କ ସେବା ଆବଶ୍ୟକତା କରୁନଥିଲା । ମୁଁ ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି । ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲିନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ମମତା । ତେବେ ମମତା ମହାନ୍ତ କୁଡୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ । ମୟୂରଭଞ୍ଜ ଓ ପଡୋଶୀ କେନ୍ଦୁଝର ଜିଲ୍ଲାରେ ଏହି ସଂପ୍ରଦାୟର ବହୁ ଲୋକ ରହିଥିବା ବେଳେ ମମତା ସେମାନଙ୍କ ପାଇଁ ଅନେକ କାମ କରୁଥିଲେ ।

ଯେଉଁଥିପାଇଁ ୨୦୨୦ରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ହେଲେ ଗତ ବୁଧବାର ସେ ବିଜେଡି ଛାଡି ଗୁରୁବାର ବିଜେପିରେ ମିଶିଥିଲେ । ଆଉ ମମତାଙ୍କ ଦଳ ଛାଡିବା ବିଜେଡି ପାଇଁ ମହଙ୍ଗା ପଡିପାରେ ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଲା । ବିଜେଡିର ଆହୁରି ଅନେକ ନେତା ବିଜେପି ମୁହାଁ ବୋଲି ମଧ୍ୟ କିଛି ନେତା ଗଣମାଧ୍ୟମରେ କହିଲେ । ହେଲେ ଆଜି ଏହି କୁହୁଳୁଥିବା ଚର୍ଚ୍ଚାକୁ ଅଧିକ ଇନ୍ଧନ ଯୋଗାଇଛି ବିଜେପି ବିଧାୟକ ଅଶୋକ ମହାନ୍ତିଙ୍କ ବିସ୍ଫୋରକ ବୟାନ । ସେ କହିଛନ୍ତି କି ବିଜେଡିର ବହୁ ନେତା ଓ ବିଧାୟକ ବିଜେପି ସହ ଯୋଗସୂତ୍ରରେ ଅଛନ୍ତି । ବହୁ ଲୋକ ବିଜେଡି ଛାଡି ବିଜେପିରେ ମିଶିବାକୁ ଚାହୁଁଛନ୍ତି ।

ରାଜ୍ୟରେ ବିଜେଡି ଛିଡୁଛି ଏବଂ ବିଜେପି ବଢୁଛି । ଅନେକ ନେତା ଏବେ ଲାଇନ୍‌ରେ ଅଛନ୍ତି । ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି ସେହିଭଳି ନେତୃବୃନ୍ଦ ଖୁବ୍ ଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗଦେବେ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ସେପଟେ ବିଜେପି ବିଧାୟକଙ୍କ ଏଭଳି ବୟାନକୁ ଖଣ୍ଡନ କରିଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କି ବିଜେପି କେବଳ ବାହାସ୍ଫୋଟ ମାରୁଛି । ଦଳ ଏକ ଅଛି । ବିଜେଡିକୁ ଅସ୍ଥିର କରିବା ପାଇଁ ବିଜେପି ଏଭଳି ସବୁ ଯୋଜନା କରୁଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ । ତେବେ ବିଜେପି ନେତାଙ୍କ ଦାବିରେ କେତେ ସତ୍ୟତା ରହିଛି ଆଉ ବିଜେଡି କିଭଳି ନିଜ ସଙ୍ଗଠନ ସଜାଡୁଛି ତାହା ସମୟ କହିବ ।

Get real time updates directly on you device, subscribe now.