fbpx

ମୃତ୍ୟୁ ହୋଇନି, ଆତ୍ମହତ୍ୟା କରିଛନ୍ତି ଗ୍ରାହମ ଥୋର୍ପ୍: ବଡ଼ ଖୁଲାସା କଲେ କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ: ଇଂଲଣ୍ଡ ଦଳର ପୂର୍ବତନ ଷ୍ଟାର କ୍ରିକେଟର ଗ୍ରାହମ୍ ଥୋର୍ପଙ୍କ ମୃତ୍ୟୁ ପରେ କ୍ରିକେଟ ଜଗତରେ ଶୋକ ଖେଳିଯାଇଛି । ତେବେ ଥୋର୍ପଙ୍କ ମୃତ୍ୟୁର ଏକ ସପ୍ତାହ ପରେ ଏହି ମାମଲାରେ ଏକ ବଡ଼ ଖଲାସା ହୋଇଛି । ଥୋର୍ପଙ୍କ ମୃତ୍ୟୁ ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ପତ୍ନୀ ଅମାଣ୍ଡାଙ୍କ ଏମିତି ବୟାନ ପରେ ଗ୍ରାହମ ଥୋର୍ପଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି । ଥୋର୍ପଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ବୋଲି ବୟାନ ଦେଇଛନ୍ତି ତାଙ୍କ ପତ୍ନୀ ଅମାଣ୍ଡା ।

ଗ୍ରାହମ ଥୋର୍ପଙ୍କ ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ ଅମାଣ୍ଡା କହିଛନ୍ତି ଯେ, ଗ୍ରାହମ ଥୋର୍ପ ନିଜ ଶାରୀରିକ ଅସୁସ୍ଥତା ଯୋଗୁଁ ଗତ ୨ ବର୍ଷରୁ ଅବସାଦରେ ରହୁଥିଲେ । ଏହି କାରଣ ପାଇଁ ସେ ପ୍ରାଣତ୍ୟାଗ କରିଥିବା କହିଛନ୍ତି ଅମାଣ୍ଡା । ସେ କହିଛନ୍ତି ଯେ, ମୃତ୍ୟୁ ପୂର୍ବରୁ ଥୋର୍ପଙ୍କ ସହ ଏକ ଲମ୍ବା ମାନସିକ ଏବଂ ଶାରୀରିକ ଯୁଦ୍ଧର ସାମନା କରିଥିଲେ । କିଛି ଦିନରୁ ସେ ଅସୁସ୍ଥ ରହୁଥିଲେ ଏବଂ ସେ ଭାବୁଥିଲେ ଯେ, ତାଙ୍କ ବିନା ପରିବାର ସୁନ୍ଦର ଭାବରେ ଜୀବନ ଅତିବାହିତ କରିପାରିବ । କିନ୍ତୁ ତାଙ୍କ ମୃତ୍ୟୁ ପରେ ଆମ ଜୀବନ ବୃଥା ବୋଲି କହିଛନ୍ତି ଥୋର୍ପଙ୍କ ପତ୍ନୀ ଅମାଣ୍ଡା ।

ଏହାପରେ ଅମାଣ୍ଡା କହିଛନ୍ତି ଯେ, ଗ୍ରାହମ କିଛି ବର୍ଷରୁ ଅବସାଦ ଏବଂ ଚିନ୍ତାରେ ରହୁଥିଲେ । ସେଥିପାଇଁ ୨୦୨୨ ମସିହା ମେ’ ମାସରେ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ସେ ଉଦ୍ୟମ କରିଥିଲେ । ତେବେ କିଛଇ ଦିନ ଆଇସିୟୁରେେ ରହିବା ପରେ ସୁସ୍ଥ ହୋଇଥିଲେ ଥୋର୍ପ । ଏହି ଅବସାଦ ଏବଂ ଚିନ୍ତା କାରଣରୁ ଅଧିକାଂଶ ସମୟରେ ଥୋର୍ପ ଗମ୍ଭୀର ହୋଇଯାଉଥିବା ଅମାଣ୍ଡା ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଗତ ଅଗଷ୍ଟ ୫ ତାରିଖରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରାହମ ଥୋର୍ପଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କ ବୟସ ୫୫ ବର୍ଷ ହୋଇଥିଲା । ତେବେ ଥୋର୍ପଙ୍କ ମୃତ୍ୟୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ତରପରୁ ସୂଚନା ଦିଆ ଯାଇଥିଲେ ମଧ୍ୟ ଏହାର କାରଣ ନେଇ କୌଣସି ସୂଚନା ମିଳି ନଥିଲା । ବର୍ତ୍ତମାନ ତାଙ୍କ ମୃତ୍ୟୁକୁ ନେଇ ଏହି ବଡ଼ ଖୁଲାସା କରିଛନ୍ତି ଷ୍ଟାର କ୍ରିକେଟରଙ୍କ ପତ୍ନୀ ଅମାଣ୍ଡା ।

Get real time updates directly on you device, subscribe now.