fbpx

ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର; ଟର୍ଚ୍ଚ ଧରି ଖୋଜୁଛନ୍ତି ସମ୍ପର୍କୀୟ-ଗ୍ରାମବାସୀ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ପଟାମୁଣ୍ଡେଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗାଁରେ ଘଟିଛି ଏଭଳି ଅଭବନୀୟ ଘଟଣା । ବାସନ ମାଜିବା ସମୟରେ ଟାଣିନେଇଛି କୁମ୍ଭୀର । ନଦୀ ତୁଠରେ ପଡ଼ି ରହିଛି ମହିଳାଙ୍କ ଚପଲ ସହ ବାସନ, ବାଲ୍‌ଟି । ଟର୍ଚ୍ଚ ଧରି ନଦୀ କୂଳରେ ଖୋଜାଖୋଜି କରୁଛନ୍ତି ସମ୍ପର୍କୀୟ ଓ ଗ୍ରାମବାସୀ । ଘଟଣାସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ଉକ୍ତ ମହିଳାଙ୍କୁ ମଧ୍ୟ ଖୋଜାଖୋଜି କରୁଛି ।

ତେବେ ଏବେପର୍ଯ୍ୟନ୍ତ କୌଣସି ସୁରାଗ ମିଳି ନଥିବା ସୂଚନା ରହିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଂଚାୟତ ଅଳପୁଆ ଅଳପୁଆଡ଼ିଆ ଗ୍ରାମର ମଞ୍ଜୁଲତା ଭଞ୍ଜ ଆଜି ଅପରାହ୍ନରେ ଖାଇ ସାରି ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ । ତେବେ ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇ ନଦୀ କୁଳକୁ ଖୋଜିବାକୁ ଯାଇଥିଲେ ।

ନଦୀ କୁଳରେ ତାଙ୍କ ଜୋତା ଥିବା ପରିବାର ଲୋକ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକମାନେ ମଞ୍ଜୁଲତାଙ୍କୁ ନପାଇବାରୁ ସେ କୁମ୍ଭୀର ଆକ୍ରମଣ ର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ନଦୀ ମଧ୍ୟରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ମଞ୍ଜୁଲତାଙ୍କ କୌଣସି ପତ୍ତା ମିଳିନାହିଁ ।

ଗତବର୍ଷ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ପେଣ୍ଠପାଳ ପଂଚାୟତର ଅମୂଲ୍ୟ ଦାସ, ତରଡ଼ିପାଳ ଘାଗରାଡିଆର ଗଙ୍ଗାଧର ତରାଇ ଓ ନିମପୁର ଶାସନ ଗ୍ରାମର ଆଚାର୍ଯ୍ୟଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଛି । ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ସରକାର ଓ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରିବା ସ୍ଥାନୀୟ ଅଂଚଳବାସୀଙ୍କୁ ବ୍ୟଥିତ କରିଛି । କୁମ୍ଭୀର ଆକ୍ରମଣ ରୁ ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଓ ଜନସଚେତନତାର ଜରୁରୀ ଆବଶ୍ୟକତା ରହିଛି ।

Get real time updates directly on you device, subscribe now.