fbpx

ପ୍ରଥମ ଥର କୁଳପତି ବୈଠକ ଡକାଇଲେ ନୂଆ ସରକାର: NEP-2020 ପ୍ରଣୟନ ଉପରେ ହେବ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦୀର୍ଘବର୍ଷ ହେଲା ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଛି ବିଜେପି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିୟମିତ ଭାବେ ରାଜ୍ୟବାସୀଙ୍କ ଅଭିଯୋଗର ଶୁଣାଣି କରି ତାହାକୁ ସମାଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ନୂଆ ସରକାର ପ୍ରଥମ ଥର କୁଳପତି ବୈଠକ ଡକାଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳ ୧୧.୩୦ ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କୁଳପତିମାନଙ୍କ ସମେତ ରେଜିଷ୍ଟ୍ରାର, କଲେଜର ଅଧ୍ୟକ୍ଷ ଓ ଶିକ୍ଷାବିତମାନେ ଯୋଗଦେବେ । ଏଥିସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଲାଇନ୍ ଜରିଆରେ ବୈଠକରେ ସାମିଲ ହୋଇ ପାରନ୍ତି । ଏହି ବୈଠକରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ଉପରେ ଆଲେଚାନା ହେବ ।

ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ କେଉଁ ସବୁ ସୁବିଧା ରହିଛି, ଓଡ଼ିଶା ତାକୁ ଲାଗୁ କରିବା ପାଇଁ କେତେ ପ୍ରସ୍ତୁତ ରହିଛି, କେଉଁ ଶିକ୍ଷା ବର୍ଷରୁ ୟୁଜି ବା ପିଜିରେ ନୂଆ ବ୍ୟବସ୍ଥା ଲାଗୁ ହୋଇ ପାରିବ ଆଦି ବିଷୟରେ ଆଲୋଚନା ହେବ । ବୈଠକରେ ସମସ୍ତ ସଦସ୍ୟଙ୍କ ଠାରୁ ଏ ବାବଦରେ ମତାମତ ନିଆଯିବ । ରାଜ୍ୟରେ ଏନଇପି-୨୦୨୦କୁ ରାଜ୍ୟରେ କିପରି ଲାଗୁ କରାଯିବ ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବୈଠକ ଡକାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ପିଜି କାଉନସିଲ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ଅଟୋନମସ କଲେଜର ଅଧ୍ୟକ୍ଷମାନେ ଯୋଗଦେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.