ରାଜ୍ୟ ସମବାୟ ବ୍ୟାଙ୍କର ବିଶେଷ ସୂଚନା: ଗତ ଦୁଇ ବର୍ଷ ଧରି ବ୍ୟବହୃତ ହେଉ ନଥିବା ଆକାଉଣ୍ଟକୁ ବିନା ସୂଚନାରେ ଅଚଳ କରି ଦିଆଯିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ ନିୟମ ବାବଦରେ ଅପଡେଟ୍ ରହିବା ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ନିହାତି ଜରୁରୀ । ଅନେକ ସମୟରେ ଏହି ନିୟମ ବାବଦରେ ଅବଗତ ନଥିବାରୁ ଅନେକ ଗ୍ରାହକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଅନେକ ଲୋଭନୀୟ ଯୋଜନାର ଫାଇଦା ମଧ୍ୟ ଗ୍ରାହକମାନେ ଉଠାଇ ପାରିନଥାନ୍ତି । ଜନସାଧାରଣଙ୍କୁ ବ୍ୟାଙ୍କିଂ ନିୟମ ବାବଦରେ ଅବଗତ କରାଇବା ଓ ଠକାମିରୁ ବର୍ତ୍ତିବା ପାଇଁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥାଏ ।
ତେବେ ଏହା ମଧ୍ୟରେ ଆରବିଆଇର ନିୟମାବଳୀକୁ ନେଇ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିଃ ପକ୍ଷରୁ ଏକ ବିଶେଷ ସୂଚନା ଜାରି କରାଯାଇଛି । ଆରବିଆଇ ନିର୍ଦ୍ଦେଶାବଳୀ ମୁତାବକ, ଗ୍ରାହକମାନେ ଯେବେଠାରୁ ବ୍ୟାଙ୍କିଂ କରୁଥାନ୍ତୁ ନା କାହିଁକି ବ୍ୟାଙ୍କର ସମସ୍ତ ପୂର୍ତ୍ତି କରିବା ପାଇଁ ପରିଚୟ ପ୍ରମାଣ, ଠିକଣା ପ୍ରମାଣ କରୁଥିବା କାଗଜପତ୍ର ସହ ଫଟୋ ଜରୁରୀ । ତେଣୁ ପରିଚୟ ପ୍ରମାଣପତ୍ର ଓ ସାମ୍ପ୍ରତିକ ଠିକଣା ସ୍ଥାପନ କରୁଥିବା କାଗଜ ସହ ଏବେକାର ଦୁଇଟି ପାସପୋର୍ଟ ଜମା କରିନଥିବା ଗ୍ରାହକମାନେ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ସମ୍ପୃକ୍ତ ଶାଖା ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ଅତଏବ, ଯଦି ସେଭିଙ୍ଗସ ବା କରେଣ୍ଟ ଆକାଉର୍ଟ ଗତ ୨୪ ମାସ ଧରି ବ୍ୟବହୃତ ହେଉନଥିବ ବା ପୂର୍ତ୍ତି ହୋଇନଥିବ, ତେବେ କୌଣସି ସୂଚନା ନଦେଇ ଉକ୍ତ ଆକାଉଣ୍ଟକୁ ଅଚଳ କରିଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସମସ୍ତ ଗ୍ରାହକଙ୍କ ପାଇଁ ବିଶେଷ ସୂଚନା ଜାରି କରାଯାଇଛି ।