fbpx

(Video) କ୍ରିକେଟରେ ‘ଗବର’ ଯୁଗର ଅବସାନ… ସନ୍ନ୍ୟାସ ଘୋଷଣା କଲେ ଶିଖର ଧୱନ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ଅବସର ଗୋଷଣା କରିଛନ୍ତି ଭାରତୀୟ ଦଳର ଗବର । ଅନ୍ତର୍ଜା କ୍ରିକେଟରୁ ସନ୍ନ୍ୟାସ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ ନିଜ ଅବସର ସମ୍ପର୍କରେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଭାରତୀୟ କ୍ରିକେଟରେ ଷ୍ଟାର ଓପନରଙ୍କ ତାଲିକାରେ ସ୍ଥାନ ପାଇଥିଲେ ଶିଖର । ତେବେ ଲଗାତାର ଟିମ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ବର୍ତ୍ତମାନ କ୍ରିକେଟରୁ ସେ ବିଦାୟ ନେଇଛନ୍ତି । ନିଜ କ୍ୟାରିୟରରେ ସେ ମୋଟ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଖେଳିଥିବା ବେଳେ ୨୨୨ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି ।

ଟିମ ଇଣ୍ଡିଆରେ ଗବର ନାମରେ ପରିଚିତ ଶିଖର ଧୱନ ଅଚାନକ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ କ୍ରିକେଟକୁ ଅଲବିଦା କହିଛନ୍ତି । ପ୍ରାୟ ଦେଢ ବର୍ଷରୁ ଟିମ ଇଣ୍ଡିଆରେ ସ୍ଥାନ ମିଳିନଥିବା ବେଳେ ବର୍ତ୍ତମାନ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଶିଖର ଧୱନ । ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ମୁଁ ମୋର କ୍ରିକେଟ ଯାତ୍ରାର ଏହି ଅଧ୍ୟାୟ ସମାପ୍ତ କରୁଛି । ତେଣୁ ମୋ ସହ ଅନେକ ଐତିହାସିକ ମୁହୂର୍ତ୍ତ, ସ୍ମୃତି ନେଇ କ୍ରିକେଟରୁ ମୁଁ ବିଦାୟ ନେଉଛି । ସମର୍ତନ ଏବଂ ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍! ଜୟ ହିନ୍ଦ୍…

୨୦୧୦ ମସିହାରେ ଟିମ ଇଣ୍ଡିଆ ପାଇଁ ପ୍ରଥମ ମ୍ୟାଚ୍ ଖେଳିଥିଲେ ଶିଖର । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିବା ପରେ ୨୦୧୧ ମସିହାରେ ଟି-୨୦ ଏବଂ ୨୦୧୩ ମସିହାରେ ଟେଷ୍ଟ ଫର୍ମାଟରେ ପାଦ ରଖିଥିଲେ ଧୱନ । ତେବେ ୨୦୧୩ ମସିହାରେ ସେ ଟିମ ଇଣ୍ଡିଆ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ବର୍ଷରେ ମୋଟ ୨୬ଟି ଦିନିକିଆ ଖେଳିଥିବା ବେଳେ ୧୧୬୨ ରନ୍ ସଂଗ୍ରହ କରିଥିଲେ ଶିଖର । ୨୦୧୩ ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଳାଇଥିଲେ ଶିଖର ଧୱନ । ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରୁ ୩୬୩ ରନ୍ କରିବା ସହ ସର୍ବଶ୍ରେଷ୍ଠ ରନ୍ ସ୍କୋରର ଭାବରେ ଗୋଲଡେନ୍ ବ୍ୟାଟ୍ ହାସଲ କରିଥିଲେ ।

ଶିଖର ଧୱନ କ୍ରିକେଟରେ ମୋଟ ମୋଟ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଖେଳିଥିବା ବେଳେ ୬୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହାମଧ୍ୟରେ ଟେଷ୍ଟରେ ସେ ମୋଟ ୭ଟି ଶତକ ସହ ୨୩୧୫ ରନ୍ କରିଥିବା ବେଳେ ଦିନିକିଆରେ ୧୭ଟି ଶତକ ସହିତ ୬୭୮୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଟି-୨୦ ଫର୍ମାଟରେ ୧୧ଟି ଅର୍ଦ୍ଧଶତକ ସହ ୧୭୫୯ ରନ୍ କରିଛନ୍ତି ଶିଖର ଧୱନ । ତେବେ ୨୦୨୨ ଡିସେମ୍ବର ୧୦ ତାରିଖରେ ଟିମ ଇଣ୍ଡିଆ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ ଶିଖର ଧୱନ । ଏହାବ୍ୟତୀତ ସେ ଆଇପିଏଲରେ ଭିନ୍ନ ଭିନ୍ନ ଦଳ ତରଫରୁ ମୋଟ ୨୨୨ଟି ମ୍ୟାଚ୍ କେଳିଛନ୍ତି । ବର୍ତ୍ତମାନ ସେ ପଞ୍ଜାବ କିଙ୍ଗସ ଦଳର ଅଧିନାୟକ ଦାୟିତ୍ୱରେ ମଧ୍ୟ ରହିଥିଲେ ।

Get real time updates directly on you device, subscribe now.