fbpx

MBBS ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଲାପଟପ୍ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମବିବିଏସ୍ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମଙ୍ଗଳାଙ୍କୁ ଲାପଟପ୍ ଉପହାର ଦେବା ସହିତ ତାଙ୍କର ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ପାଇଁ ନିଟ୍ -୨୦୨୪ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ôଥକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର ମାନିଥାଏ । ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି । ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ମଙ୍ଗଳାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମଙ୍ଗଳାଙ୍କର ପିତାମାତା ଦିନ ମଜୁରିଆ ଭାବେ କାମ କରିବା ସହିତ ଚାଷବାସ କରି ଚଳନ୍ତି । ମଙ୍ଗଳା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ମୁଦୁଲିପଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିବା ସହିତ ବୋଲଦିଆଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ କୃତିତ୍ୱର ସହ ପାସ୍ କରିଛନ୍ତି । ସ୍କୁଲ ପଢିବା ସମୟରୁ ନିଜ ଅଞ୍ଚଳର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଜନିତ ଅନ୍ୟାନ୍ୟ ସମସ୍ୟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ପ୍ରେରଣା ପାଇଥିଲେ । ଶ୍ରୀ ମଙ୍ଗଳା ମୁଦୁଲି ବଣ୍ଡା ଜନଜାତି ବର୍ଗର ପ୍ରଥମ ଛାତ୍ର ଭାବରେ ଏମବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଭଟଲି ବିଧାୟକ ଇରାଶିଷ ଆଚାର୍ୟ୍ୟ, ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.