fbpx

AI Drone ରୋକିବ ରେଳ ଦୁର୍ଘଟଣା! ୨୫ ମିଲି ସେକେଣ୍ଡରେ ଖୋଜିବ ପାୱାର ଲାଇନ୍ ସମସ୍ୟା

ନୂଆଦିଲ୍ଲୀ: ଦୁଇ ଦିନ ଭିତରେ ଦୁଇଟି ସ୍ଥାନରେ ୨ଟି ଟ୍ରେନକୁ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଘଟଣା ସାମନାକୁ ଆସିଛି । ଏ ନେଇ ସ୍ପଷ୍ଟ ନ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ମିଳିଥିବା ସନ୍ଦିଗ୍ଧ ଜିନିଷ ଏହାକୁ ଆତଙ୍କବାଦୀଙ୍କ ଚକ୍ରାନ୍ତ ବୋଲି ଦର୍ଶାଇଛି । କାନପୁରର ଟ୍ରେନ ଲାଇନରେ ଗ୍ୟାସ ସିଲିଣ୍ଡର ସହ ପେଟ୍ରୋଲ ଭରା ବୋତଲ ଇତ୍ୟାଦି ମିଳିଥିବା ବେଳେ ଆଜି ରାଜସ୍ଥାନର ଆଜମେର ରେଳ ଟ୍ରାକରେ ସିମେଣ୍ଟ ସ୍ଲାବ ପଡ଼ିଥିବା ଦେଖାଯାଇଛି । ତେବେ ଏଭଳି କାରଣ ବ୍ୟତୀତ ଅନେକ ସମୟରେ ଟ୍ରେନ ଦୁର୍ଘଟଣା ହେବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ଏହି ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ଆସୁଛି ସ୍ୱତନ୍ତ୍ର ଫିଚର୍ ଥିବା ଏଆଇ ଡ୍ରୋନ୍ ।

ଦୁର୍ଗମ ଅଞ୍ଚଳରେ ଥିବା ସଂରଚନା ଗୁଡ଼ିକ ଉପରେ ନଜର ରଖିବା ପାଇଁ ଏଆଇ ସହାଯ୍ୟରେ ଏକ ସ୍ୱତନ୍ତ୍ର ଡ୍ରୋନ ପ୍ରସ୍ତୁତ କରିଛି ଇନ୍ଦୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(IIT) । ଏହି ଡ୍ରୋନ ହାଇଟେନସନ୍ ପାୱାର ଲାଇନ୍ ଏବଂ ଗ୍ୟାସ୍ ପାଇପଲାଇନ୍ ସହ କୋଠା ଏବଂ ରାସ୍ତାରେ ଥିବା ବିଭିନ୍ନ ସମସ୍ୟା ଚିହ୍ନଟ କରିପାରିବ । ମାତ୍ର ୨୫ ମିଲିସେକେଣ୍ଡରେ ଆଗକୁ ଥିବା ବିପଦ ସମ୍ପର୍କରେ ସୂଚନା ଦେଇପାରିବ ଏହି ଏଆଇ ଡ୍ରୋନ୍ । ଆଇଆଇଟି, ଇନ୍ଦୋରର ପ୍ରଫେସର ଅଭିରୂପ ଦତ୍ତ କହିଛନ୍ତି ଯେ, ପ୍ରାୟ ଦେଢ ବର୍ଷର ପରିଶ୍ରମ ପରେ ଏହି ଡ୍ରୋନ ନିର୍ମାଣ ହୋଇପାରିଛି । ଏହି ଡ୍ରୋନର ଟେକନିକ ମାନବ ବିହୀନ ବିମାନ(UAV)କୁ ଏଆଇ ଏବଂ ‘ମେସିନ୍ ଲର୍ଣ୍ଣିଙ୍ଗ’ ସହ ସାମିଲ କରାଇଥାଏ ।

ଏହାପରେ ପ୍ରଫେସର ଦତ୍ତ କହିଛନ୍ତି ଯେ, ଏହି ଡ୍ରୋନରେ ଉନ୍ନତ ଧରଣର ଉପକରଣ ଖଞ୍ଜା ଯାଇ ବିଭିନ୍ନ ପ୍ରକାରର ସମସ୍ୟା ବିଷୟରେ ଜାଣିହେବ । ତେବେ ଏହି ଡ୍ରୋନର ପ୍ରମୁଖ ବିଶେଷତ୍ୱ ହେଉଛି, ଏହା ମାତ୍ର ୨୫ ମିଲିସେକେଣ୍ଡରେ ଏହିସବୁ ତ୍ରୁଟି ବିଷୟରେ ଅବଗତ କରାଇବାରେ ସକ୍ଷମ ହୋଇଥାଏ । ଏହି କାର୍ଯ୍ୟରେ ଏଆଇ ଡ୍ରୋନ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୮.୭୦ ପ୍ରତିଶତ ସଫଳତା ହାସଲ କରିଛି । ତେଣୁ ଏହାର ସାହାଯ୍ୟରେ ଆଗକୁ ଟ୍ରେନ ଦୁର୍ଘଟଣାର ହାର କମ୍ ହୋଇପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.