fbpx

ଆତିଶୀ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ମମତା ବାନାର୍ଜୀଙ୍କ ପରେ ଦ୍ବିତୀୟ ମହିଳା..

ନୂଆଦିଲ୍ଲୀ: ହଟିଲା ସିଏମ ସସପେନ୍ସ । ଦିଲ୍ଲୀ ଆପ୍ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିଲା ପରଦା । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେବାକୁ ଯାଉଛି । ଆତିଶୀ ହେବେ ପରବର୍ତ୍ତୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ ମର୍ଲେନା । ଆଜି ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳ ବୈଠକ ବସିଥିବା ବେଳେ ଆତିଶୀଙ୍କ ନାଁରେ ମୋହର ବାଜିଛି । ସର୍ବସମ୍ମତି କ୍ରମେ ବିଧାୟକମାନେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ପ୍ରକାଶଥାଉକି, ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ରହିଛନ୍ତି ଆତିଶୀ । ତେବେ ପୂର୍ବରୁ ସୁଷମା ସ୍ବରାଜ ଏବଂ ସିଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ତେବେ ପଦ ଛାଡିବା ପୂର୍ବରୁ ଆତିଶୀଙ୍କ ନାମ ଘୋଷଣା କରିଛନ୍ତି ।

ଅରବିନ୍ଦ କେଜ୍ରିଓ୍ବାଲ ଗତ ରବିବାର ଅର୍ଥାତ 15 ତାରିଖ ଦିନ ପଦ ଛାଡିବା ନେଇ ଘୋଷଣା କରିଥିଲେ । ତେବେ ଆଜି ସେ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ସାକ୍ଷାତ କରି ଇସ୍ତଫା ଦେବେ । ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ଗତ ମାର୍ଚ୍ଚ 21 ତାରିଖରେ ତାଙ୍କୁ ଗିରଫ କରିଥିଲା । ସିବିଆଇ ମାମଲାରେ ତାଙ୍କୁ ସେପ୍ଟେମ୍ବର 13 ତାରିଖରେ ଜାମିନ ମିଳିଥିଲା । ପୂର୍ବରୁ ଇଡି ମାମଲାରେ ତାଙ୍କୁ ଜାମିନ୍ ମିଳିଥିଲା । ସେ ସେପ୍ଟେମ୍ବର 13 ତାରିଖରେ ତିହାର ଜେଲରୁ ବାହାରିଥିଲେ । ତେବେ ଇସ୍ତଫା ଦେବାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି, ମୁଁ ଅଗ୍ନି ପରୀକ୍ଷା ଦେବାକୁ ଚାହୁଁଛି । ଯେତେବେଳେ ଯାଏଁ ଲୋକେ ମୋତେ ସଚ୍ଚୋଟତାର ପରିଚୟ ଦେବେ ନାହିଁ, ମୁଁ ସେତିକି ଦିନ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ବସିବି ନାହିଁ ।

Get real time updates directly on you device, subscribe now.