fbpx

କେନ୍ଦ୍ର ସରକାରଙ୍କ ଘୋଷଣା: ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ସୂଚନା ଦେଇଛନ୍ତି । ଭାରତୀୟ ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଅକ୍ଟୋବର ୮ ତାରିଖରେ ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କହିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଭାରତୀୟ ଚଳଚ୍ଚିତ୍ର ଜଗତରେ ମିଥୁନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ଚେହେରା । ସେ ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ ପରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି । ସେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୩ ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ୧୯୫୦ ମସିହା ଜୁନ୍ ମାସ ୧୬ ତାରିଖରେ ଜନ୍ମିତ ମିଥୁନ ବଙ୍ଗାଳି, ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ଼, ଓଡ଼ିଆ ଓ ଭୋଜପୁରୀ ଆଦି ବିଭିନ୍ନ ଭାଷାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି ।

ନିଜର ଡେବ୍ୟୁ ଫିଲ୍ମ ‘ମୃଗୟା’ ପାଇଁ ମିଥୁର ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ଏଥିସହିତ ବୁଦ୍ଧଦେବ ଦାସଗୁପ୍ତାଙ୍କ ବଙ୍ଗାଳି ଫିଲ୍ମ ‘ତହାଦେର କଥା’ ପାଇଁ ସେ ଦ୍ୱିତୀୟ ନ୍ୟାସନାଲ ଆୱାର୍ଡ ପାଇଥିଲେ । ଉକ୍ତ ଫିଲ୍ମରେ ମିଥୁନ ଫ୍ରିଡମ ଫାଇଟର ଭୂମିକାରେ ନଜର ଆସିଥିଲେ । ‘ସ୍ୱାମୀ ବିବେକାନନ୍ଦ’ଙ୍କ ପାଇଁ ସେ ତୃତୀୟ ନ୍ୟାସନାଲ ଆୱାର୍ଡ ପାଇଥିଲେ । ଉକ୍ତ ଫିଲ୍ମରେ ମିଥୁନ ରାମକୃଷ୍ଣ ପରମହଂସଙ୍କ ଭୂମିକା ନିଭାଇଥିଲେ । ଚଳିତ ବର୍ଷ ଜାନୁଆରୀରେ ମିଥୁନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.