fbpx

(Video) ଦ୍ୱିତୀୟ ପର୍ଯ୍ୟାୟରେ କେତେ ମହିଳା ପାଇବେ ‘ସୁଭଦ୍ରା’ ଟଙ୍କା? ଏହିମାନଙ୍କୁ ମିଳିବ ପ୍ରଥମ କିସ୍ତି, ୨ ମହିଳା ହେବେ ସମ୍ମାନିତ

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ତାରିଖ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅକ୍ଟୋବର ୯ ତାରିଖରେ ରାଜ୍ୟର ଆଉ କିଛି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ସରକାର । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣଙ୍କୁ ସରକାର ‘ସୁଭଦ୍ରା’ ଟଙ୍କା ପଠାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପଠାଯାଇପାରେ ବୋଲି ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ପରେ ମଧ୍ୟ ଆଉ କିଛି ମହିଳା ଟଙ୍କା ପାଇବାରୁ ବଞ୍ଚିତ ରହିବେ । ତେବେ ଦ୍ୱିତୀୟ ପର୍ଯ୍ୟାୟରେ କେଉଁମାନଙ୍କୁ ମିଳିବ ପ୍ରଥମ କିସ୍ତି?

ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପଠାଇବେ ସରକାର । ବାରିପଦାରେ ଏକ କାର୍ଯ୍ୟକ୍ରମ ଜରିଆରେ ଏହି ଟଙ୍କା ବଣ୍ଟନ କରାଯିବ । ତେବେ ଅକ୍ଟୋବର ୭ ତାରିଖ ସୁଦ୍ଧା ଯେଉଁ ମହିଳା ହିତାଧିକାରୀମାନେ ଯୋଗ୍ୟ ଭାବରେ ବିବେଚିତ ହୋଇଥିବେ, ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପଠାଯିବ ବୋଲି କହିଛନ୍ତି ଉପମୁଖ୍ୟନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯିବା ନେଇ ଆଶା କରାଯାଉଛି । ରାଜ୍ୟର ମହିଳା ମାନଙ୍କୁ ସମ୍ମାନ ଜଣାଇ ମା’ଦୁର୍ଗାଙ୍କ ଦଶହରା ପର୍ବରେ ଏହି ଟଙ୍କା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବାରିପଦାରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଏକ କାର୍ଯ୍ୟକ୍ରମକୁ ରୂପାୟନ କରିବେ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏହି ୨ ମହିଳା ହେବେ ସମ୍ମାନିତ:

ସୁଭଦ୍ରା ଯୋଜନାର ପ୍ରଥମ ମହିଳା ହିତାଧିକାରୀ ଏବଂ ୧ କୋଟି ତମ ମହିଳା ହିତାଧିକାରୀ (ତାଲିକାର ୧ କୋଟିତମ ନମ୍ବରରେ ଥିବା ମହିଳା ହିତାଧିକାରୀ)ଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ସଭାରେ ସମ୍ମାନିତ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୟୁରଭଞ୍ଜ ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ନେଇ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୬ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରେ ଆବେଦନ କରି ସାରିଛନ୍ତି । କିନ୍ତୁ ଆସନ୍ତା ୯ ତାରିଖରେ ଅଧିକରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରାଯିବ । ଆଶା କରାଯାଉଛି ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।

Get real time updates directly on you device, subscribe now.