fbpx

WTC ପଏଣ୍ଟସ ଟେବୁଲରେ ବଡ଼ ପରିବର୍ତ୍ତନ: ବାଂଲାଦେଶ ବିପକ୍ଷ ସିରିଜ ବିଜୟ ପରେ ୧୨ ଅଙ୍କ ହାସଲ କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ କ୍ଲିନ୍ ସ୍ୱିପ୍ କରିବା ପରେ ଟିମ୍ ଇଣ୍ଡିଆ ଏକ ବଡ଼ ସଫଳତା ହାସଲ କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲ୍ୟୁଟିସି) ପଏଣ୍ଟସ୍ ଟେବୁଲରେ ଏବେ ଭାରତ ୧୨ ଅଙ୍କ ହାସଲ କରି ଫାଇନାଲ ଖେଳିବା ନିମନ୍ତେ ନିଜର ଆଶା ବଢ଼ାଇ ଦେଇଛି । ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ଏକ ବଡ଼ ଝଟକା ଦେଇଛି । କାନପୁର ଟେଷ୍ଟରେ ବର୍ଷା ବାଧକ ସାଜିଥିଲେ ହେଁ ଶେଷ ଦୁଇ ଦିନରେ ବାଜି ପଲଟି ଯାଇଥିଲା । ଏହା ପୂର୍ବରୁ ଭାରତ ପ୍ରଥମ ଟେଷ୍ଟରେ ୨୮୦ ରନରେ ବିଜୟୀ ହୋଇଥିଲା ।

ଦ୍ୱିତୀୟ ଟେଷ୍ଟରେ ବିଜୟ ପାଇଁ ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୯୫ ରନକୁ ଭାରତୀୟ ଦଳ ସହଜରେ ହାସଲ କରିନେଇଥିଲା । ତୃତୀୟ ଓଭରରେ ଅଧିନାୟକ ରୋହିତ (୮) ରନ୍ କରି ଆଉଟ ହୋଇଥିବା ବେଳେ ଶୁବମନ ଗିଲ କେବଳ ୬ ରନ୍ କରି ପାଭିଲିୟନ ଫେରିଥିଲେ । ଏହାପରେ ବିରାଟ କୋହଲି ୨୯ ରନ୍ ଓ ଯଶସ୍ୱୀ ଜୟସ୍ୱାଲ ୫୧ ରନ୍ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଡବ୍ଲ୍ୟୁଟିସି ପଏଣ୍ଟସ ଟେବୁଲରେ ଭାରତ ତଳକୁ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ରହିଛନ୍ତି । ଟେବୁଲରେ ଏବେ ଭାରତ ୯୮ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୯୦ ପଏଣ୍ଟ ସହ ଦ୍ୱିତୀୟରେ ଓ ଶ୍ରୀଲଙ୍କା ୬୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଆଗକୁ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନ ପାଇଁ ମାତ୍ର ୮ଟି ମ୍ୟାଚ ଖେଳିବ । ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ୫ଟିରେ ଜିତିବାକୁ ପଡ଼ିବ ବୋଲି ଆକଳନ କରାଯାଇଥିଲା । ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ଭାରତ ପାଇଁ ଏହି ଲକ୍ଷ୍ୟ ସହଜ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.