fbpx

କାଲିଠୁ ନବରାତ୍ରୀ, ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମା’ ଦୁର୍ଗା: ଜାଣନ୍ତୁ କଳସ ସ୍ଥାପନାର ବିଧି ଓ ନିୟମ

ଓଡ଼ିଶା ଭାସ୍କର: ଆସନ୍ତା କାଲିଠାରୁ ପାଳନ ହେବ ଶାରଦୀୟ ନବରାତ୍ରୀ । ଏହି ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ନବ ରୂପକୁ ଆରାଧନା କରାଯାଏ । ନଅ ଦିନ ଧରି ମାଆଙ୍କ ଏହି ପୂଜା ଚାଲିବ । ତେବେ ହିନ୍ଦୁ ପରମ୍ପରା ଅନୁଯାୟୀ, ନଅଟି ଦିନରେ ମାଆଙ୍କୁ ନଅଟି ରୂପରେ ପୂଜା କରାଯାଏ । ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରୀରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେଉଛି । ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ ।

ଏହି ୯ ଦିନରେ ମାତା ଦୁର୍ଗା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି । ତେବେ ଏହି ସବୁ ରୂପ ଗୁଡିକ କଣ ଜାଣନ୍ତୁ। ତେବେ ପ୍ରଥମ ଦିନରେ ମାଆ ପାର୍ବତୀଙ୍କୁ ଶୈଳପୁତ୍ରୀ କୁହାଯାଏ । କାରଣ ତାଙ୍କ ପିତା ପର୍ବତରାଜ ହିମାଳୟ ଅଟନ୍ତି । ସେ ଗୋଟିଏ ହାତରେ ତ୍ରୀଶୁଳ ଏବଂ ଅନ୍ୟ ହାତରେ ପଦ୍ମ ଫୁଲ ଧାରଣ କରିଥାନ୍ତି । ଚନ୍ଦ୍ରମା ତାଙ୍କ ମଥାର ଶୋଭା ବଢାଇଥାଏ । ନବରାତ୍ରୀର ଆରମ୍ଭ କଳସ ସ୍ଥାପନାରୁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ମାନ୍ୟତା ଅନୁଯାୟୀ, କଳସ ସ୍ଥାପନା ସହିତ ମାଆ ଶୈଳପୁତ୍ରୀଙ୍କର ପୂଜା ମଧ୍ୟ ହୋଇଥାଏ । ଯଦି ଆପଣ ନବରାତ୍ରି ପାଳନ କରୁଛନ୍ତି ତେବେ ଏହା କରିବା ନିହାତି ଆବଶ୍ୟକ । କଳସ ସ୍ଥାପନା କରିଲେ ମାଆ ଦୁର୍ଗା ପ୍ରଶନ୍ନ ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ନବରାତ୍ରିର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ । ବ୍ରହ୍ମ ମୂହୂର୍ତ୍ତରୁ ଉଠି ଆପଣ ନିଜର ନିତ୍ୟକର୍ମ ସାରି ଠାକୁର ଘରକୁ ପୋଛା ମାରିବେ । ଏହାପରେ ଏକ ଚୌକି ରଖି ତା ଉପରେ ଗଙ୍ଗା ଜଳ ଛିଞ୍ଚିବେ । ଚୌକି ଉପରେ ଏକ ଲାଲ ରଙ୍ଗର କପଡା ବିଛାଇ ଏହା ଉପରେ ମାଆଙ୍କର ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିବେ । ଏହାପରେ ମାଆ ଶୈଳପୁତ୍ରୀଙ୍କର ମନ୍ତ୍ର ବୋଲି ସଂକଳ୍ପ ନେବେ । ମାଆଙ୍କୁ ଅକ୍ଷତ, ଧୂପ, ଦୀପ, ଫିଲ, ଫଳ, ମିଠା, ନୈବେଦ୍ୟ ଆଦି ଅର୍ପଣ କରିବେ । ମନସ୍କାମନା ପୂର୍ଣ୍ଣ ପାଇଁ ମାଆଙ୍କୁ କନିଆରୀ ଫୁଲ ଏବଂ ଗାଈ ଘିଅରେ ପ୍ରସ୍ତୁତ ଭୋଗ ଲାଗାଇବେ । ଯଦି ଆପଣଙ୍କର ଚନ୍ଦ୍ରମା ଦୁର୍ବଳ ଅଛନ୍ତି ତେବେ ଏହି ପୂଜା କରିଲେ ଶୁଭ ଫଳ ମିଳିଥାଏ ।

Get real time updates directly on you device, subscribe now.