fbpx

ଭରତପୁର ଥାନା ନିର୍ଯାତନା ଘଟଣା: ସତ୍ୟପାଠ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ତଦନ୍ତ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ଭରତପୁର ଥାନାରେ ଘଟିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କ ନିର୍ଯାତନା ମାମଲାରେ ଆସିଛି ଏକ ନୂଆ ଅପଡେଟ୍ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ତାହା ଜାରି ରହିଛି । ତେବେ ଏହା ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ତଦନ୍ତ କମିଶନଙ୍କ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମେଜର, ତାଙ୍କ ବାନ୍ଧବୀ, ଭରତ ଥାନାର ନିଲମ୍ବିତ ଥାନା ଅଧିକାରୀ, ନିଲମ୍ବିତ ଅନ୍ୟ ପୋଲିସ ଅଧିକାରୀଙ୍କ ସତ୍ୟପାଠ ଦାଖଲ ହେବ । ଏଥିସହିତ ସାଧାରଣ ଜନତା ଓ ବୁଦ୍ଧିଜୀବୀ ଚାହିଁଲେ ଏହି ଘଟଣାରେ ସତ୍ୟପାଠ କରିପାରିବେ ବୋଲି କୁହାଯାଇଛି । ୨୧ ଦିନ ପର୍ଯ୍ୟନ୍ତ ଏହି ସତ୍ୟପାଠ ପ୍ରକ୍ରିୟା ଜାରି ରହିବ । ସତ୍ୟପାଠ ସରିବା ପରେ କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାରରେ ଫେରୁଥିବା ସମୟରେ ସେମାନଙ୍କର କିଛି ଯୁବକଙ୍କ ସହ ଝଗଡ଼ା ହୋଇଥିଲା । ଏହାପରେ ମେଜର ଓ ତାଙ୍କର ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ । ମାତ୍ର ସେଠାରେ ତାଙ୍କର ଅଭିଯୋଗ ଗ୍ରହଣ କରା ନଯାଇ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ସେମାନେ ଅଭିଯୋଗ କରିଥିଲେ । ଏହି ଘଟଣାରେ କିଛି ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣର ତଦନ୍ତ ଏବେ ଜାରି ରହିଛି । ଏହି ଘଟଣା ସହ ଜଡ଼ିତ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା ।

Get real time updates directly on you device, subscribe now.