fbpx

ଓଡ଼ିଶାର ସ୍ୱାସ୍ଥ୍ୟସେବାରେ ନୂଆ ଅଧ୍ୟାୟ: ଏସସିବିରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । କଟକର ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଅସ୍ଥି ଭଣ୍ଡାର (ବୋନ ବ୍ୟାଙ୍କ) । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗି ଆଜି ବଡ଼ ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଏହି ବୋନ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି । ଏହି ଅସ୍ଥି ଭଣ୍ଡାର କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ଅସ୍ଥି ରୋଗର ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି ଆସିବ ବୋଲି କୁହାଯାଉଛି । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସସିବିରେ ଏହି ସୁବିଧା ଉପଲବ୍ଧ ହୋଇଛି । ଏନେଇ ଗତବର୍ଷ ଠାରୁ ରାଜ୍ୟ ସରକାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଆବଶ୍ୟକ ମେଶିନ୍ କ୍ରୟ କରିଥିଲେ ।

ଏହି ବୋନ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଫଳରେ ଏଣିକି ମୃତକ, ଆହତଙ୍କ ଅସ୍ତ୍ରୋପଚାର ସମୟରେ ଫିଙ୍ଗି ଦିଆଯାଉଥିବା ଅସ୍ଥିକୁ ଗଚ୍ଛିତ କରି ରଖାଯିବ । ପରବର୍ତ୍ତୀ ସମୟରେ ଉକ୍ତ ହାଡ଼କୁ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପିତ କରାଯିବ । ଫଳରେ ଏଣିକି ରକ୍ତ ଭଳି ହାଡ଼ ମଧ୍ୟ ମିଳିପାରିବ । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯାଇଥିବାରୁ ଏହା ଦ୍ୱାରା ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ । ସାଧାରଣ ଭାବେ ଦୁର୍ଘଟଣା, କର୍କଟ ରୋଗୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାଟି ହାଡ଼କୁ ଫିଙ୍ଗି ଦିଆଯାଇଥାଏ । ଏଣିକି ଉକ୍ତ ହାଡ଼କୁ ଆଉ ନ ଫିଙ୍ଗି ସଂରକ୍ଷିତ କରି ରଖାଯିବ । ଅନେକ ସମୟରେ ଦୁର୍ଘଟଣାରେ ଅନେକ ଲୋକଙ୍କର ହାଡ଼ ଗୁଣ୍ଡ ହୋଇଯାଇଥାଏ । ଏପରି ସ୍ଥିତିରେ ଗଚ୍ଛିତ ହାଡ଼ କାମରେ ଆସିପାରିବ । ବୋନ ବ୍ୟାଙ୍କରେ ଅସୀମିତ ସମୟ ପାଇଁ ହାଡ଼କୁ ସଂରକ୍ଷିତ କରି ରଖାଯାଇ ପାରିବ । ଏଥିସହିତ ଦୁର୍ଘଟଣାଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତଦେହରୁ ମଧ୍ୟ ଅସ୍ଥି ସଂଗ୍ରହ କରି ଏହି ବ୍ୟାଙ୍କରେ ରଖାଯାଇ ପାରିବ । ପରେ ଉକ୍ତ ଅସ୍ଥିକୁ ଅନ୍ୟ ଶରୀରରେ ଉପଯୋଗ କରାଯାଇ ପାରିବ । ତେବେ ଏହି ସେବା ସମ୍ପୂର୍ଣ୍ଣ ରୂପେ ମାଗଣା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.