fbpx

ହରିୟାଣା ଓ ଜମ୍ମୁ କଶ୍ମୀର ନିର୍ବାଚନ ଫଳାଫଳ ଦେଲା ୫ଟି ବଡ଼ ସନ୍ଦେଶ: ବଢ଼ିଲା ବିଜେପିର ଶକ୍ତି, ପୁଣି ଦମ୍ ଦେଖାଇଲା ବ୍ରାଣ୍ଡ ମୋଦୀ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି । ଗୋଟିଏ ରାଜ୍ୟରେ ଏଗଜିଟ ପୋଲ ଭୁଲ୍ ପ୍ରମାଣିତ ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ପୂର୍ବ ଆକଳନ ସଠିକ୍ ପ୍ରମାଣିତ ହୋଇଛି । ମୋଟ ୯୦ଟି ଆସନରୁ ହରିୟାଣାରେ ବିଜେପି ୪୮ଟି ଆସନରେ ଜିତି ବହୁମତ ହାସଲ କରିଥିବା ବେଳେ କଂଗ୍ରେସ ୩୭ଟି ପାଇ ପଛରେ ପଡ଼ିଯାଇଛି । ଏହାଦ୍ୱାରା ହରିୟାଣାରେ ବିଜେପି ହ୍ୟାଟ୍ରିକ୍ ଅର୍ଜନ କରିଛି । ସେହିପରି ଜମ୍ମୁ କଶ୍ମୀରରେ ମୋଟ ୯୦ଟି ଆସନରୁ କଂଗ୍ରେସ- ନ୍ୟାସନାଲ କନଫରେନ୍ସ (ଏନସି) ମେଣ୍ଟ ୪୯ଟି ଆସନ ଜିତି ବହୁମତ ହାସଲ କରିଥିବା ବେଳେ ବିଜେପି ୨୯ରେ ସୀମିତ ରହିଯାଇଛି । ସବୁଠାରୁ ବଡ଼ କଥା ହେଉଛି ପିଡିପି ମାତ୍ର ୩ଟି ଆସନ ପାଇଁ ସନ୍ତୁଷ୍ଟ ରହିଛି । ତେବେ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏବେ ୫ଟି ବଡ଼ ସନ୍ଦେଶ ସାମ୍ନାକୁ ଆସୁଛି ।

୧- ହରିୟାଣାରେ କ୍ରମାଗତ ତୃତୀୟ ଥର ବିଜୟ ହାସଲ କରିବା ପରେ ଗୋଟିଏ ପାର୍ଟି କିପରି ବାରମ୍ବାର କ୍ଷମତାରେ ରହିବ ତା’ର ଫର୍ମୂଲା ଆପଣାଇବାରେ ବିଜେପି ଧୁରନ୍ଧର ହୋଇଯାଇଛି । ମତଦାତାଙ୍କ ଭରସା ଜିତିବାରେ ବିଜେପି ମାହିର ହୋଇଯାଇଛି । ଗତ କିଛି ବର୍ଷ ମଧ୍ୟରେ କଂଗ୍ରେସ ହିନ୍ଦି ଭାଷୀ ରାଜ୍ୟମାନଙ୍କରେ କ୍ଷମତାକୁ ଦ୍ୱିତୀୟ ଥର ଫେରିବାକୁ ଅକ୍ଷମ ହୋଇଥିବା ବେଳେ ବିଜେପି ସେ କ୍ଷେତ୍ରରେ ଗେମ୍ ଚେଞ୍ଜର ହୋଇଯାଇଛି । ଗତ ଏକ ଦଶକ ମଧ୍ୟରେ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ ରାଜ୍ୟରେ ଜିତିଥିବା ବେଳେ ଦ୍ୱିତୀୟ ଥର କ୍ଷମତାକୁ ଫେରିବାରେ ବିଫଳ ହୋଇଥିଲା ।

୨- ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆଗାମୀ ନିର୍ବାଚନ ଉପରେ ପଡ଼ିବ । ହରିୟାଣାରେ ଜିତିବା ସହ ବିଜେପି ଚଳିତ ବର୍ଷ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ମାହୋଲ ସରଗରମ୍ କରିଦେଇଛି । ଏହା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସକୁ ଜାଗ୍ରତ କରିବ ଓ ପାର୍ଟିର ନେତୃତ୍ୱ ପ୍ରତି ନିଷ୍ଠା ବଢ଼ିବ ।

୩- ଗତ ଲୋକସଭା ନିର୍ବାଚନରେ କିଛି ଉତ୍ତର ରାଜ୍ୟମାନଙ୍କରେ ସଂଘ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଠିକ୍ ସହଯୋଗ ରହିନଥିବା ନେଇ ଖବର ଆସିଥିଲା । ମାତ୍ର ଏଥର ସଂଘ ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ପୂରା ଶକ୍ତି ସହ ସହଯୋଗ କରାଯାଇଥିଲା । ଉଭୟ ରାଜ୍ୟରେ ସଂଘର କାର୍ଯ୍ୟକର୍ତ୍ତାମାନେ ଯେଉଁଭଳି ଭାବେ କଠିନ ପରିଶ୍ରମ କରିଥିଲେ, ତା’ର ସୁଫଳ ଏବେ ଦଳକୁ ମିଳିଛି ।

୪- ୨୦୧୪ ପୂର୍ବରୁ ବିଜେପି ହରିୟାଣାରେ କେବେ ବି କ୍ଷମତା ହାସଲ କରିନଥିବା ବେଳେ ସେହି ବର୍ଷ ପ୍ରଥମ ଥର ରାଜ୍ୟରେ ଭୋଟ ଶେୟାର ୩୦ ପ୍ରତିଶତରେ ପହଞ୍ଚିଥିଲା । କଂଗ୍ରେସର ଭୂପିନ୍ଦର ସିଂହ ହୁଡ୍ଡାଙ୍କ ପରି ଜଣେ ବଡ଼ ଚେହେରା ହରିୟାଣା ବିଜେପିରେ ନଥିଲେ । ମାତ୍ର ୨୦୧୯ ପରି ଏଥର ମଧ୍ୟ ବ୍ରାଣ୍ଡ ମୋଦୀଙ୍କ ପାଥେୟ କରି ଦଳ ରାଜ୍ୟରେ ଗେରୁଆ ଝଣ୍ଡା ଉଡ଼ାଇବାରେ ସକ୍ଷମ ହୋଇପାରିଛି । ସତ୍ତା-ବିରୋଧୀ ଲହରକୁ ପ୍ରତିରୋଧ କରିବାକୁ ଯାଇ ନିର୍ବାଚନ ପୂର୍ବରୁ ଦଳ ମନୋହର ଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା ।

୫- ଗତ ତିନି ମାସ ମଧ୍ୟରେ ବିଜେପି ରାଜ୍ୟରେ ନିଜକୁ ସାମାଜିକ ଭାବେ ଶୃଙ୍ଖଳିତ ଦଳ ଭାବେ ଉପସ୍ଥାପନ କରିଥିଲା । ଦଳ ଜାଟ ଓବିସି, ଦଳିତ ଓ ସବର୍ଣ୍ଣ ଜାତିଙ୍କ ସମର୍ଥନ ହାସଲ କରିପାରିଥିଲା । ଏହାଫଳରେ ଦଳ ହିନ୍ଦୀ ଭାଷୀ ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇପାରିଥିଲା । ରାଜ୍ୟରେ ବିଜେପିର ସଫଳତା ହାର ୫୭.୩ ପ୍ରତିଶତ ରହିଥିବା ବେଳେ କଂଗ୍ରେସର ୩୮.୨ ପ୍ରତିଶଥ ରହିଥିଲା । ଲୋକସଭା ନିର୍ବାଚନରେ ଦଳିତ ମତଦାତାଙ୍କ ସମର୍ଥନ ହ୍ରାସ କାରଣରୁ ଆସନ ସଂଖ୍ୟା କମିଥିଲା । ତେଣୁ ଦଳ ସମ୍ବିଧାନ ସଂଶୋଧନ କରିଥିଲା । ହରିୟାଣାରେ ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ସଂରକ୍ଷିତ ଥିବା ୧୭ଟି ଆସନରୁ ବିଜେପି ୯ଟି ଜିତିଥିବା ବେଳେ କଂଗ୍ରେସ ୮ଟି ଜିତିଥିଲା ।

Get real time updates directly on you device, subscribe now.