fbpx

ବିଜେପି ହ୍ୟାଟ୍ରିକ୍ ବିଜୟର ହିରୋ ଧର୍ମେନ୍ଦ୍ର: ଓଡ଼ିଶା ପରେ ହରିୟାଣାରେ ବି ଖେଳ କରିଦେଲେ ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହରିୟାଣାରେ ହ୍ୟାଟ୍ରିକ୍ ବିଜୟ ପରେ ଏବେ ବିଜେପିକୁ ମିଳିଛି ପୁଣି ଏକ ବଡ଼ ସଫଳତା । କିଛି ମାସ ତଳେ ସମାପ୍ତ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପିର ବିଜୟରେ ଏକ ବଡ଼ ଭୂମିକା ନିଭାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଏବେ ବଡ଼ ଚର୍ଚ୍ଚା ହେଉଛି । ଓଡ଼ିଶା ପରେ ଏବେ ପ୍ରଧାନ ହରିୟାଣାରେ ନିଜର କମାଲ ଦେଖାଇଛନ୍ତି । ଏହି ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ଉପରେ ଦଳ ଯଥେଷ୍ଟ ଭରସା କରିବା ସହ ରାଜ୍ୟର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଇଥିଲା । ଜୁନ୍ ୧୬ରେ ଧର୍ମେନ୍ଦ୍ରଙ୍କୁ ଏହି ଦିଆଯାଇଥିବା ବେଳେ ମାତ୍ର କିଛି ମାସ ମଧ୍ୟରେ ଧର୍ମେନ୍ଦ୍ର ହରିୟାଣାରେ ଗେମ୍ ପଲଟାଇ ଦେଇଥିଲେ ।

ତେବେ ହରିୟାଣାରେ ବିଜେପିକୁ ଏତେ ସହଜରେ ସଫଳତା ମିଳିନଥିଲା । ଲୋକସଭା ନିର୍ବାଚନରେ ବିଜେପି ବହୁମତଠାରୁ ପଛରେ ରହିବା ପରେ ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନେଇ ଶୀର୍ଷ ନେତାଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ କରିଥିଲେ । ହରିୟାଣରେ ଧର୍ମେନ୍ଦ୍ର ଗ୍ରାଉଣ୍ଡକୁ ଓହ୍ଲାଇବା ସହ କର୍ମୀଙ୍କ ମଧ୍ୟରେ ଛୋଟ ଛୋଟ ବୈଠକ କରିଥିଲେ । କର୍ମୀଙ୍କ ଫିଡବ୍ୟାକକୁ ନେଇ ଧର୍ମେନ୍ଦ୍ର ଶାହଙ୍କ ନିକଟରେ ପହଞ୍ଚାଉଥିଲେ । ରୋହତକ, କୁରୁକ୍ଷେତ୍ର ଓ ପଞ୍ଚକୁଲାରେ ଧର୍ମେନ୍ଦ୍ର ଶିବିର ସ୍ଥାପନ କରିଥିଲେ । ବଡ଼ ବଡ଼ ଜନସଭା କରିବା ବଦଳରେ ଛୋଟ ବୈଠକ ମାଧ୍ୟମରେ ବଡ଼ ଲକ୍ଷ୍ୟକୁ ଭେଦ କରିବାକୁ ଧର୍ମେନ୍ଦ୍ର ଶାହଙ୍କ ସହିତ ଆଲୋଚନା କରିଥିଲେ ଓ ଶେଷରେ ସେଥିରେ ସଫଳ ମଧ୍ୟ ହୋଇଥିଲେ । ଶାହ-ଧର୍ମେନ୍ଦ୍ର ଆଜି ଏଗଜିଟ ପୋଲର ଆକଳନକୁ ମାତ୍ ଦେବା ସହ ମୋଟ ୯୦ଟି ବିଧାନସଭା ଆସନ ମଧ୍ୟରୁ ଦଳକୁ ୪୮ଟି ଆସନରେ ବିଜୟୀ କରି ଦେଖାଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ କଡ଼ା ଟକ୍କର ଦେଇଥିଲେ ହେଁ ୩୭ଟି ଆସନରେ ସୀମିତ ରହିଯାଇଥିଲା ।

Get real time updates directly on you device, subscribe now.