ଋଷଭ ପନ୍ତଙ୍କ ଭଙ୍ଗା ଗୋଡ଼ରେ ଲାଗିଲା ଆଘାତ: ପଡ଼ିଆରୁ ବାହାରି ଚାଲିଗଲେ ୱିକେଟ କିପର, ଚିନ୍ତାରେ ରୋହିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ଟିମ ଇଣ୍ଡିଆ । ମାତ୍ର ୪୬ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲାଣ୍ଡ ଦମଦାର ବ୍ୟାଟିଂ ଜାରି ରଖିଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୧୩୦ ରୁ ଅଧିକ ରନ୍ ଅଗ୍ରଣୀ ରହିଛି । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଭାରତର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ଗୋଡ଼ରେ ପୁଣିଥରେ ଗଭୀର ଆଘାତ ଲାଗିଛି । ଫଳରେ ଆହତ ଅବସ୍ଥାରେ ସେ ପଡ଼ିଆ ଛାଡ଼ିବା ପାଇଁ ବାଧ୍ୟ ହୋଇଛନ୍ତି । ଗୋଡ଼ରେ ବଲ ବାଜିବା ପରେ ଋଷଭ ସିଧା ଠିଆ ହେବାରେ ମଧ୍ୟ ସମସ୍ୟା ହୋଇଥିଲା । ଯନ୍ତ୍ରଣାରେ ଋଷଭ ଛଟପଟ ହେଉଥିବା ବେଳେ ଟିମ ଇଣ୍ଡିଆର ଫିଜିଓ ତାଙ୍କ ପ୍ରାଥମିକ ଚିକିତ୍ସା କରାଇ ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପରାମର୍ଶ ଦେଇଥିଲେ ।

ନ୍ୟୁଜିଲାଣ୍ଡ ଇନିଂସର ୩୭ ତମ ଓଭରରେ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ଏହି ସମୟରେ ଜାଡେଜାଙ୍କ ଏକ ରକେଟ ସ୍ପିଡ ବଲକୁ ରୋକିବାରେ ଫେଲ ହୋଇଥିଲେ ଋଷଙ ପନ୍ତ । ଫଳରେ ଏହା ସିଧା ଯାଇ ଋଷଭଙ୍କ ଗୋଡ଼ରେ ବାଜିଥିଲା । ଏହି ବଲ ବାଜିବା ପରେ ଋଷଭ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଥିଲେ । ତେଣୁ ସଙ୍ଗେ ସଙ୍ଗେ ଭାରତୀୟ ଦଳର ଫିଜିଓ ପଡ଼ିଆରେ ପହଞ୍ଚିବା ସହ ଋଷଭଙ୍କ ଗୋଡ଼ ଦେଖି ପ୍ରାଥମିକ ଚିକିତ୍ସା କରିଥିଲେ । କିନ୍ତୁ ଏହାପରେ ମଧ୍ୟ ଋଷଭଙ୍କ ଯନ୍ତ୍ରଣା କମ୍ ହୋଇ ନଥିଲା । ଅତ୍ୟଧିକ ଯନ୍ତ୍ରଣା ଯୋଗୁଁ ଋଷଭଙ୍କ କ୍ଷେତ୍ରରେ ସିଧା ଠିଆ ହେବା ମଧ୍ୟ ଅସମ୍ଭବ ହୋଇ ପଡ଼ିଥିଲା । ତେଣୁ ଫିଜିଓ ତାଙ୍କୁ ପଡ଼ିଆ ଛାଡ଼ି ଡ୍ରେସିଙ୍ଗ ରୁମ ଯିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଋଷଭ ମ୍ୟାଚ୍ ଅଧାରୁ ପଡ଼ିଆ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ସ୍ଥାନରେ ଟିମ ଇଣ୍ଡିଆର ଅନ୍ୟତମ ୱିକେଟ କିପର ଧ୍ରୁବ ଜୁରେଲ ଭାରତ ପାଇଁ ୱିକେଟ କିପିଙ୍ଗ କରିବାକୁ ମଇଦାନକୁ ଆସିଛନ୍ତି ।

ତେବେ ଋଷଭ ପଡ଼ିଆ ଛାଡ଼ି ଚାଲିଯିବା ପରେ ଏହା ଟିମ ଇଣ୍ଡିଆ ପାଇଁ ଏକ ବଡ଼ ସମସ୍ୟା ପାଲଟି ଯାଇଛି । ଭୟଙ୍କର ଦୁର୍ଘଟଣା ପରେ ଗତ ଟି-୨୦ ବିଶ୍ୱକପରେ କମବ୍ୟାକ କରିଥିଲେ ଋଷଭ । କିନ୍ତୁ ଆଜି ତାଙ୍କ ଗୋଡ଼ରେ ଆଘାତ ସମସ୍ୟା ଭାରତ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି । ଆସନ୍ତା ମାସ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଥିବା ବେଳେ ଟିମ ଇଣ୍ଡିଆ ପାଇଁ ଋଷଭ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ରହିଛନ୍ତି । ତେଣୁ ଋଷଙ ଆହତ ସମସ୍ୟାରୁ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବାକୁ ଅପେକ୍ଷା କରିଛନ୍ତି ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.