ଆଜି ଓ ଆସନ୍ତାକାଲି ହେବ ପ୍ରବଳ ବର୍ଷା; ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ହେବାର ରହୁଛି ସବୁଠୁ ଅଧିକ ସମ୍ଭାବନା ।

ରାଜ୍ୟରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ଦୁଇଦିନ ଭିତରେ ଓଡିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଦେଖିବାକୁ ଗଲେ ଗତକାଲି ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱରରେ ଖରା ସାଙ୍ଗକୁ ବର୍ଷା ହୋଇଥିଲା । ହଠାତ୍ ଅକାଶରେ କଳା ବାଦଲ ଆସିଥିଲା ଆଉ ବର୍ଷା ହୋଇଥିଲା । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏକା ସାଙ୍ଗରେ ଖରା-ବର୍ଷା ହେଉଥିଲା ।

କିଛି ସମୟ ପାଇଁ ଲୋକ ଭାବିଲେ ସଙ୍ଗେ ସଙ୍ଗେ ବର୍ଷା ଛାଡ଼ିଯିବ । ହେଲେ ଅନେକ ସମୟ ଧରି ଏପରି ଖରା-ବର୍ଷା ହୋଇଥିଲା । ଯେଉଥି ପାଇଁ ଯିବା ଆସିବାରେ ବହୁତ ସମସ୍ୟା ଦେଖା ଦେଇଥିଲା । ବିଭିନ୍ନ ସ୍ଥାନରେ ବାଇକ୍ ଚାଳକ ଅପେକ୍ଷା କରିଥିଲେ । ସେପଟେ କିନ୍ତୁ ପୁରା ଭୁବନେଶ୍ୱର ସହରଟାକୁ ଭିଜୋଉଥିଲା ବର୍ଷା । ବହୁତ ଲୋକ ଭ୍ରମରେ ରହିଥିଲେ। ଏପରି ଜାଗତିକ ଘଟଣାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀବାସୀ।

Get real time updates directly on you device, subscribe now.