କାର୍ତ୍ତିକ ମାସ ଆରମ୍ଭରୁ କଲବଲ କଲାଣି କଞ୍ଚା ପରିବା; ଏବେଠୁ ଏତେ ଆଗକୁ କେତେ?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ । ଆମିଷ ବର୍ଜନ କରନ୍ତି ଅଧିକାଂଶ ଲୋକ । ହେଲେ କାର୍ତ୍ତିକ ମାସ ଆରମ୍ଭରୁ ଆକାଶ ଛୁଆଁ ହେବାରେ ଲାଗିଛି ପରିବା ଦର । ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ସବୁ ପରିବା ୮୦ ରୁ ୧୦୦ ଛୁଇଁଲାଣି, ଆଉ କିଛି ପରିବା ୧୦୦ ଟପି ଗଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି ।

ପିଆଜ କେଜି ପିଛା ୮୦ ଟଙ୍କାରେ ପହଞ୍ଚିଛି । କଞ୍ଚାଲଙ୍କା ଶହ ୩୦ଟଙ୍କା ରୁ ୫୦ /୬୦ଟଙ୍କାରେ ପହଞ୍ଚିଛି । ଭେଣ୍ଡି ୩୫ଟଙ୍କା ରୁ ୭୦ ଟଙ୍କା ରେ ପହଞ୍ଚିଛି । ସେହିଭଳି ପାଳଙ୍ଗ ୨୫ ଟଙ୍କା ରୁ ୩୦ ଟଙ୍କାରେ ପହଞ୍ଚିଛି । ଅଧିକାଂଶ କଞ୍ଚା ପରିବା କିଲୋପ୍ରତି ଦାମ ୮୦ ଟଙ୍କାରେ ପହଞ୍ଚିଛି । କଲରା କିଲୋ ପିଛା ୮୦ ଟଙ୍କା, ଜହ୍ନି ୬୦, ପୋଟଳ ୮୦, କଖାରୁ ୫୦ ଟଙ୍କାରେ ବିକ୍ରି ହେଉଛି ।

ସେହିଭଳି ଅଦା, ରସୁଣ, ପିଆଜ, ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରସୁଣ କଥା ନକହିବା ଭଲ, ୨୫୦ ଗ୍ରାମକୁ ୮୦ ଟଙ୍କାରେ ବିକ୍ରି ହେଉଛି । ଯାହାର ସିଧା ସଳଖ ପ୍ରଭାବ ପଡ଼ୁଛି ସାଧାରଣ ଲୋକଙ୍କ ଉପରେ । ଯେଉଁ ଗ୍ରାହକ ନିଜର ଆବଶ୍ୟକ ଅନୁସାରେ ପରିବା କିଲେ ବା ଦୁଇ କିଲୋ ନେଉଥିଲେ, ତାଙ୍କୁ ଏବେ ସେଥିରୁ ଅଢେଇଶ ଗ୍ରାମ ନେବା ପାଇଁ ମଧ୍ୟ ବାରମ୍ବାର ଭାବିବାକୁ ପଡୁଛି ।

୫୦୦ ଟଙ୍କାରେ ବ୍ୟାଗ ଫୁଲ ହୋଇ ଆଉ ପରିବା ବଳୁଥିବା ବେଳେ ଏବେ ହଜାର ଟଙ୍କାରେ ବି ପରିବା ବ୍ୟାଗ ଫୁଲ ହେବା ସମ୍ଭବ ହେଉନାହିଁ । ଯାହାକୁ ନେଇ ଏବେ ସବୁ ବର୍ଗର ଗ୍ରାହକ ଚିନ୍ତାରେ ପଡିଥିବାର ଦେଖିବାକୁ ମିଳିଛି । ତେବେ ସବୁଠୁ ବଡ଼ କଥା କାର୍ତ୍ତିକ ମାସ ଆରମ୍ଭରୁ ଯଦି ପରିବା ଦର ଏତେ ରହୁଛି ତେବେ ଆଗକୁ କଣ ହେବ? ତାକୁ ନେଇ ଏବେ ଚିନ୍ତାରେ ଖାଉଟି ।

Get real time updates directly on you device, subscribe now.