ପ୍ରଚଣ୍ଡ ଶବ୍ଦରେ ଥରିଲା ମୟୂରଭଞ୍ଜ: ୭ ମିନିଟରେ ମାରିଲା ୪୪୧୫ ଥର ବଜ୍ରପାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ସନ୍ଧ୍ୟାରେ ମୟୂରଭଞ୍ଜ ଦେଖିବାକୁ ମିଳିଥିଲା ଏକ ବଡ଼ ଅଘଟଣ । ସନ୍ଧ୍ୟା ସମୟରେ ପାଖାପାଖି ଦୁଇଘଣ୍ଟା ଧରି ଭୟଙ୍କର ଭାବେ ବଜ୍ରପାତ ଦେଖିବାକୁ ମିଳିଥିଲା । ଏହି ବଜ୍ରପାତର ଶବ୍ଦ ଏତେ ଭୟଙ୍କର ହୋଇଥିଲା ଯେ ଲୋକମାନେ ଭୟରେ ଘରର କବାଟ ବନ୍ଦ କରିଦେଇଥିଲେ । ବଜ୍ରପାତର ଏହି ଭୟଙ୍କର ଶବ୍ଦରେ ଜିଲ୍ଲା ସଦର ମହକୁମା ବାରିପଦା, ବାଙ୍ଗିରିପୋଷି, ଖୁଣ୍ଟା, ଉଦଳା, ଡୁକୁରା, ବିଶୋଇ, ଶିମିଳିପାଳ, ବେତନଟୀ ଆଦି ଅଞ୍ଚଳରେ କାନକୁ ସତେ ଯେମିତି ଏକ ବଡ଼ ଝଟକା ଦେଇଥିଲା ।

ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି ମୟୂରଭଞ୍ଜ ଆକାଶରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ମୂଷଳ ଧାରାରେ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ସତେ ଏକସଙ୍ଗେ ଆକ୍ରମଣାତ୍ମକ ରୂପ ଦେଖାଇଥିଲେ । ୭ ମିନିଟରେ ୪୪୧୫ ଥର ବଜ୍ରପାତ ହୋଇଥିବା ନେଇ ଦାମିନି ଆପରେ ରେକର୍ଡ କରାଯାଇଥିଲା । ଏହି ଭୟଙ୍କର ବଜ୍ରପାତକୁ ପାଣିପାଗ ବିଜ୍ଞାନୀମାନେ ଗମ୍ଭୀରତାର ସହ ନେଇଥିଲେ । ତେଣୁ ବଜ୍ରପାତକୁ ନେଇ ସତର୍କ ରହିବାକୁ ବ୍ଲକସ୍ତରୀୟ ଅଧିକାରୀ ଓ ତହସିଲଦାରଙ୍କୁ ସତର୍କ ରହିବାକୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ରାଜ୍ୟର କିଛି ସ୍ଥାନରେ ଏଭଳି ବଜ୍ରପାତ ଜନିତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଗତ ଅଗଷ୍ଟ ମାସରେ ବାଲେଶ୍ୱରର ନୀଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ଆଖାପାଖ ଅଞ୍ଚଳ ଥରିଯିବା ସହ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ବଜ୍ରପାତ ପାଇଁ ଏଭଳି ଶବ୍ଦ ହୋଇଥିବା ନେଇ ପରେ ବାଲେଶ୍ୱର ପାଣିପାଗ ବିଭାଗ କେନ୍ଦ୍ରର ଅଧିକାରୀ ସୂଚନା ଦେଇଥିଲେ ।

Get real time updates directly on you device, subscribe now.