ସରଫରାଜଙ୍କ ଶତକ, ଋଷଭଙ୍କ ଦମଦାର ବ୍ୟାଟିଂ… ନ୍ୟୁଜିଲାଣ୍ଡକୁ ୧୦୭ ରନର ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଏକ ବଡ଼ ସ୍କୋରରେ ପହଞ୍ଚିପାରିଛି । ସରଫରାଜଙ୍କ ସହ ଋଷଭ ପନ୍ତ ଏବଂ ବିରାଟ କୋହଲି ମଧ୍ୟ ଭାରତ ପାଇଁ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୬ ରନ୍ ଅଗ୍ରଣୀ ହୋଇଛି । ଏହାପରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୧୦୭ ରନର ବିଜୟ ଲକ୍ଷ୍ୟ ଦେଇଛି ରୋହିତ ସେନା । ଭାରତ ପକ୍ଷରୁ ସରଫରାଜ ସର୍ବାଧିକ ୧୫୦ ରନ୍ କରିଥିବା ବେଳେ ଋଷଭ ପନ୍ତ ଦମଦାର ଶତକରୁ ମାତ୍ର ୧ ରନ୍ ଦୂରରେ ରହିଯାଇଛନ୍ତି ।

ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରି ଭାରତ ୪୬୨ ରନ୍ ସଂଗ୍ରହ କରିଛି । ସଫରାଜ ଖାନଙ୍କ ବିସ୍ଫୋରକ ଶତକ ସହିତ ଋଷଭ ପନ୍ତ ଏବଂ ବିରାଟ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ଭାରତକୁ ଏକ ସମ୍ମାନଜନକ ସ୍କୋର କରିବାରେ ସାହାଯ୍ୟ କରିଛି । ପ୍ରଥମ ଇନିଂସ ପରେ ୩୫୬ ରନ୍ ପଛରେ ରହିଥିବା ଭାରତ ଦ୍ୱିତୀୟ ଇନିଂସ ପରେ ୧୦୬ ରନ୍ ଅଗ୍ରଣୀ ହେବାରେ ସଫଳ ହୋଇଛି । ତେବେ ଏହି ଇନିଂସରେ ୧୯୫ ବଲରୁ ୭୭ ଷ୍ଟ୍ରାଇକ ରେଟ ସହ ସରଫରାଜ ୧୫୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ସରଫରାଜଙ୍କ ଏହି ଇନିଂସରେ ୧୮ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି । ଏହାବ୍ୟତୀତ ଋଷଭ ପନ୍ତ ମଧ୍ୟ ଆହତ ସମସ୍ୟାରୁ ଫେରି ଦମଦାର ବ୍ୟାଟିଂ କରିଛନ୍ତି । ୧୦୫ ବଲରୁ ୯ଟି ଚୌକା ଏବଂ ୫ଟି ଛକା ସହ ୯୯ ରନରେ ନିଜ ୱିକେଟ ହରାଇଛନ୍ତି ଋଷଭ ପନ୍ତ । ତେବେ ବିରାଟ କୋହଲି ମଧ୍ୟ ସଂକଟ ସମୟରେ ୭୦ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି ।

କିନ୍ତୁ ସରଫରାଜ ଏବଂ ଋଷଭ ପନ୍ତଙ୍କ ପରେ ଭାରତୀୟ ଇନିଂସ ଫେଲ ମାରିଥିଲେ । କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବ୍ୟାଟରୁ ଏଭଳି କିଛି ବଡ଼ ଇନିଂସର ଆଶା ଥିଲେ ମଧ୍ୟ ସମସ୍ତ ଖେଳାଳି ନିରାଶ କରିଛନ୍ତି । ରାହୁଲ ୧୨, ଜାଡେଜା ୫ ଏବଂ ଅଶ୍ୱୀନ ମାତ୍ର ୧୫ ରନ୍ କରି ପାଭିଲିୟନ ଫେରିଛନ୍ତି । ତେବେ ମ୍ୟାଚର ତୃତୀୟ ଦିନରେ ଯଶସ୍ୱୀ ୩୫ ରନ୍ କରି ଆଉଟ ହୋଇଥିବା ବେଳେ ଅଧିନାୟକ ରୋହିତ ଅର୍ଦ୍ଧଶତକ(୫୨) ହାସଲ କରିଥିଲେ । ତେବେ ଭାରତ ବର୍ତ୍ତମାନ ୧୦୬ ରନର ଅଗ୍ରଣୀ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୧୦୭ ରନର ବିଜୟ ଲକ୍ଷ ମିଳିଛି ।

Get real time updates directly on you device, subscribe now.