ଲଞ୍ଚ ହେଲା ନୂଆ ସ୍କିମ୍: FDରେ ମିଳିବ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ, ବଡ଼ ଘୋଷଣା କଲେ ଏକାଧିକ ବଡ଼ ବ୍ୟାଙ୍କ

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଅତ୍ୟାବଶ୍ୟକ ଜିନିଷ । ତେଣୁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ସ୍କିମ ସନ୍ଧାନରେ ରହିଥାନ୍ତି । ତେବେ ବର୍ତ୍ତମାନ ମାର୍କେଟରେ ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ପୋଷ୍ଟାଲ ସ୍କିମ, ଜୀବନ ବୀମା, ରିକରିଂ ଡିପୋଜିଟ, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ବିଭିନ୍ନ ପ୍ରକାରର ବିକଳ୍ପ ରହିଥିଲେ ହେଁ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) ମଧ୍ୟ ଏକ ଜନାଭିମୁଖୀ ଯୋଜନା । ତେଣୁ ଏଫଡିରେ ନିବେଶ କରି ମଧ୍ୟ ଆପଣମାନେ ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ଏହା ମଧ୍ୟରେ ଦେଶର କିଛି ପ୍ରମୁଖ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି ।

ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ପକ୍ଷରୁ ୩ କୋଟିର ସ୍ଥାୟୀ ଜମାରାଶିକୁ ନେଇ ସୁଧ ହାର ଅପଡେଟ୍ କରାଯାଇଛି । ଅକ୍ଟୋବର ୧୬ ତାରିଖଠାରୁ ତାହା ପ୍ରଭାବୀ ହୋଇଯାଇଛି । ସାଧାରଣ ନାଗରିକଙ୍କ ପାଇଁ ୭ ଦିନରୁ ୧୦ ବର୍ଷର ଅବଧି ପାଇଁ ସୁଧ ହାର ୩ ପ୍ରତିଶତରୁ ଆରମ୍ଭ କରି ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ୩.୫୦ ପ୍ରତିଶତରୁ ଆରମ୍ଭ କରି ୮.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ରହିଛି ।

ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫଡି ଉପରେ ୩.୫୦ ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ବରିଷ୍ଠ ନାଗରିକଙ୍କୁ ୪ ପ୍ରତିଶତରୁ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଅତି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସୁଧ ହାର ୪.୩୦ ପ୍ରତିଶତରୁ ୮.୦୫ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ଅକ୍ଟୋବର ପହିଲାରୁ ଏହା ପ୍ରଭାବୀ ହୋଇଯାଇଛି ।

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ପକ୍ଷରୁ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୨.୮୦ ପ୍ରତିଶତରୁ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ଅକ୍ଟୋବର ପହିଲାରୁ ଏହା ପ୍ରଭାବୀ ହୋଇଯାଇଛି । ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ୪.୨୫ ପ୍ରତିଶତରୁ ୭.୧୫ ପ୍ରତିଶତ ସୁଧ ମିଳୁଛି । ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହା ୪.୭୫ ପ୍ରତିଶତରୁ ୭.୬୦ ପ୍ରତିଶତ ମଧ୍ୟରେ ରହିଛି । ନୂଆ ଦର ଅକ୍ଟୋବର ୩ ତାରିଖରୁ ପ୍ରଭାବୀ ହୋଇଯାଇଛି ।

Get real time updates directly on you device, subscribe now.