ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୨ର ରେଜଲ୍ଟ ପ୍ରକାଶ: ୬୮୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୨ର ଫଳାଫଳ ପ୍ରକାଶ ପାଇଛି । ମୋଟ ୬୮୩ ଜଣ ପ୍ରାର୍ଥୀ ଏଥିରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫୮ ଜଣ ମହିଳା ରହିଛନ୍ତି । ଏହି ସମସ୍ତ ପ୍ରାର୍ଥୀଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଗ୍ରୁପ-ଏ ଓ ଗ୍ରୁପ-ବି)ରେ ନିଯୁକ୍ତି ଦିଆଯିବ । କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କର ଏକ ଲିଷ୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି ।

ଗତ ଫେବୃଆରୀ ମାସ ୨୫, ୨୬, ୨୮ ଓ ମାର୍ଚ୍ଚ ମାସ ୧, ୩ ତାରିଖରେ ଓସିଏସ-୨୦୨୨ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଗତ ସେପ୍ଟେମ୍ବର ମାସ ୧୦ ଓ ଅକ୍ଟୋବର ମାସ ୭ ତାରିଖରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଓସିଏସ-୨୦୨୨ ପରୀକ୍ଷାରେ ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି । ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ସ୍ଥାନରେ ଓ ଦୀପ୍ତି ରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି । ଏହି ନିଯୁକ୍ତି ବାବଦରେ ଅପଡେଟ୍ ଜାଣିବା ପାଇଁ ନିୟମିତ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.