ଭୟଙ୍କର ଭାବେ ବ୍ଲାଷ୍ଟ ହେଲା ସିଲିଣ୍ଡର! ମାଟିରେ ମିଶିଲା କୋଠା, ମରିଗଲେ 6ଜଣ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ବି ଜଣାନଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିକନ୍ଦରାବାଦ । ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ଏହି ଘଟଣାରେ 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କର ମଧ୍ୟ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ନେଇ କହିଛନ୍ତି ଜିଲ୍ଲାପାଳ ।

ସୂଚନା ଅନୁସାରେ, ସିକନ୍ଦରାବାଦ ଆଶାପୁରୀ କଲୋନୀରେ ସମୋବାର ରାତି 8ଟା 30 ରୁ 9ଟା 30 ମଧ୍ୟରେ ରିୟାଜୁଦ୍ଦିନଙ୍କ ଘରେ ଏହି ଘଟଣା ଘଟିଥିଲା । ତେବେ ଏହି ଘଟଣା ଏତେ ଭୟଙ୍କର ରହିଥିଲା ଯେ, ସିଲିଣ୍ଡର ଫାଟିବା ପରେ ଦୁଇ ମହଲା ବିଶିଷ୍ଟ କୋଠା ମାଟିରେ ମିଶିଯାଇଥିଲା । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 6ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାପରେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।  ସୂଚନା ପାଇବା ମାତ୍ରେ ଏସପି, ଏସଡିଏମ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ । କୁହାଯାଉଛି ଯେ ଘରେ ପ୍ରାୟ 15 ଜଣ ଲୋକ ରହୁଥିଲେ । ଏହି ଘଟଣାକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୃତକମାନଙ୍କୁ କ୍ଷତିପୂରଣ ଦେବା ସହିତ ଆହତମାନଙ୍କୁ ଉତ୍ତମ ଚିକିତ୍ସା କରବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କୋଠା ତଳେ ଆହୁରି ଚାପି ହୋଇ ରହିଥିବା ନେଇ ଅନୁମାନ କରାଯାଉଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.