ଭାରତକୁ ବଡ଼ ଝଟକା: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ହଟିଲା କୁସ୍ତି, ବ୍ୟାଡମିଣ୍ଟନ, ହକି, କ୍ରିକେଟ ଓ ଶୁଟିଂ

ନୂଆଦିଲ୍ଲୀ: ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜୟକୁ ନେଇ ଭାରତକୁ ଲାଗିଛି ଏକ ବଡ଼ ଝଟକା । ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କଟଲାଣ୍ଡର ଗ୍ଲାସଗୋ ସହରରେ ଅନୁଷ୍ଠିତ ହେବ । ତେବେ ଏହି କ୍ରୀଡ଼ାରୁ ଏଥର ୫ଟି ବଡ଼ ଖେଳକୁ ହଟାଇ ଦିଆଯାଇଛି । କୁସ୍ତି, ବ୍ୟାଡମିଣ୍ଟନ, ହକି, କ୍ରିକେଟ ଓ ଶୁଟିଂକୁ ହଟାଇ ଦିଆଯାଇ କେବଳ ୧୦ଟି ଖେଳକୁ ସ୍ଥାନ ଦିଆଯାଇଛି । ଖର୍ଚ୍ଚ କରିବା ପାଇଁ ଟେବୁଲ ଟେନିସ, ସ୍କ୍ୱାଶ ଓ ଟ୍ରାଏଲଲନକୁ ମଧ୍ୟ ହଟାଇ ଦିଆଯାଇଥିବା ଜଣାପଡ଼ିଛି ।

ବର୍ମିଂଘମରେ ୨୦୨୨ରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଥିବା ଏପରି ଏକାଧିକ ଖେଳକୁ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଖିବାକୁ ମିଳିବ ନାହିଁ । ଏହି ଖେଳକୁ କେବଳ ଚାରିଟି ସ୍ଥାନରେ ଆୟୋଜିତ କରାଯିବ । ଆସନ୍ତା ୨୦୨୬ ମସିହା ଜୁଲାଇ ୨୩ରୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ଆରମ୍ଭ ହୋଇ ଅଗଷ୍ଟ ୨ରେ ସମାପ୍ତ ହେବ । ଏହା ପୂର୍ବରୁ ୨୦୧୪ରେ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହୋଇଥିଲା । ଏଥର ଆଥଲେଟିକ୍ସ ଓ ପାରା ଆଥଲେଟିକ୍ସ (ଟ୍ର୍ୟାକ ଓ ଫିଲ୍ଡ), ସ୍ୱିମିଂ ଓ ପାରା ସ୍ୱିମିଂ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ, ଟ୍ରାକ ସାଇକ୍ଲିଂ ଓ ପାରା ଟ୍ରାକ ସାଇକ୍ଲିଂ, ନେଟବଲ, ଭାରୋତ୍ତଳନ ଓ ପାରା ପାୱରଲିଫ୍ଟିଂ, ବକ୍ସିଂ, ଜୁଡୋ, ବାଉଲ୍ସ ଓ ପାରା ବାଉଲ୍ସ, ୩ x ୩ ବାସ୍କେଟବଲ ଓ ୩ x ୩ ହୁଇଲଚେୟାର ବାସ୍କେଟବଲ ଏହି ଇଭେଣ୍ଟରେ ସ୍ଥାନ ପାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଘ ପକ୍ଷରୁ ଏକ ବୟାନରେ କୁହାଯାଇଛି ।

Get real time updates directly on you device, subscribe now.