ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବାକୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜିଲ୍ଲା ପ୍ରଶାସନ ସହ ମିଶି କାମ କରିବାକୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ଦୃଷ୍ଟିରେ ରଖି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବାତ୍ୟା ଦ୍ଵାରା ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ମହାସଂଘ, ବ୍ଲକସ୍ତରୀୟ ମହାସଂଘ, ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ, କ୍ଲଷ୍ଟରସ୍ତରୀୟ ମହାସଂଘର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି ।

ଜିଲ୍ଲା ପ୍ରଶାସନ ସହ ସହଯୋଗର ହାତ ବଢାଇବାକୁ ଶ୍ରୀମତୀ ପରିଡା ଜିଲ୍ଲାର ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଅନୁରୋଧ କରିଛନ୍ତି । ସେପଟେ ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ୍ ଅପ୍ ରଖିବାକୁ କୁହାଯାଇଛି। ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଟିମ୍ ପଠାଯାଇ ସେବା ଦିଆଯିବ। ରାଜ୍ୟ ଏବଂ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ୍ କରି ମନିଟର କରାଯାଉଛି।

ସୋମବାର ଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି। ଗତକାଲିଠୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସକରାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ସହ ହେଡକ୍ୱାର୍ଟରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.