(Video) ବଦଳିଲା ବାତ୍ୟା ‘ଦାନା’ର ଗତିପଥ: କେନ୍ଦ୍ରାପଡ଼ାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ସମୀକ୍ଷା କରିଥିଲେ । ଏହା ମଧ୍ୟରେ ଆଜି ଲୋକସଭା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ଏହା ମଧ୍ୟରେ ବାତ୍ୟା ଗଭୀର ଅବପାତର ରୂପ ନେଇଥିବା ବେଳେ ଲ୍ୟାଣ୍ଡଫଲକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ପୁରୀ ଓ ସାଗରଦୀପ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବରୁ କୁହାଯାଉଥିଲା । ମାତ୍ର ଏବେ ବାତ୍ୟା ତା’ର ଦିଗ ବଦଳାଇଛି । ଘଣ୍ଟାକୁ ଘଣ୍ଟା ବାତ୍ୟାର ଗତିପଥରେ ପରିବର୍ତ୍ତନ ହେବାରେ ଲାଗିଛି । ଏହା ପୂର୍ବରୁ ବାଲେଶ୍ୱରରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ କୁହାଯାଉଥିବା ବେଳେ ତା’ପରେ ଭିତରକନିକାରେ ଛୁଇଁବ ବୋଲି କୁହାଯାଇଥିଲା । ତେବେ ଏହା ମଧ୍ୟରେ ବାତ୍ୟା କେନ୍ଦ୍ରାପଡ଼ାରେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି । କେନ୍ଦ୍ରାପଡ଼ାରୁ ସାଗରଦୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଅନ୍ତର୍ଜାତୀୟ ମଡେଲ ଆକଳନ କରିଛି । ବାତ୍ୟା ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ । ତା’ପରେ ବାତ୍ୟା ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ବୋଲି କୁହାଯାଇଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ପବନର ବେଗ ସର୍ବାଧିକ ୧୨୦ କିମି ରହିପାରେ ବୋଲି କୁହାଯାଇଛି । ବାତ୍ୟା ପାଇଁ ୬ଟି ଜିଲ୍ଲା ପାଇଁ ୬ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୩ ତାରିଖ ସକାଳେ ଏହି ଅଧିକାରୀମାନେ ଜିଲ୍ଲାରେ ଉପସ୍ଥିତ ହେବାକୁ କୁହାଯାଇଛି ।

Get real time updates directly on you device, subscribe now.