ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି । ବାତ୍ୟା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ସମୀକ୍ଷା କରିଥିଲେ । ସେହିପରି ଗଗତକାଲି ଲୋକସଭା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ତେବେ ଏହା ମଧ୍ୟରେ ବାତ୍ୟା ଗଭୀର ଅବପାତର ରୂପ ନେଇସାରିଥିବା ବେଳେ ଲ୍ୟାଣ୍ଡଫଲକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବରୁ କୁହାଯାଉଥିଲା । ପରବର୍ତ୍ତୀ ସମୟରେ ତାହା ଭିତରକନିକା, କେନ୍ଦ୍ରାପଡ଼ାରୁ ସାଗରଦୀପ ମଧ୍ୟରେ ମାଡ଼ ହେବ ବୋଲି କୁହାଯାଇଥିଲା । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ଭିତରେ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଠାରୁ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି କୁହାଯାଇଛି । ୨୪ ତାରିଖ ରାତି ସାଢ଼େ ୧୧ଟାରୁ ସକାଳ ଭିତରେ ବାତ୍ୟା ମାଡ଼ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ତେବେ ବାତ୍ୟାର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମନ୍ତ୍ରୀ, ବିଧାୟକ, ବିଧାୟିକା, ଆଇଏଏସ ଅଧିକାରୀଙ୍କୁ ବାତ୍ୟା ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜନସାଧାରଣଙ୍କୁ ବାତ୍ୟା ସଚେତନ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରୁଛନ୍ତି । ସେହିପରି ବାତ୍ୟାର ସଫଳ ମୁକାବିଲା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଗକୁ ଆସିଛନ୍ତି । ବାତ୍ୟା ‘ଦାନା’କୁ ହରାଇ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଗକୁ ଆସିଛନ୍ତି । ସବୁ ବାତ୍ୟା ପରି ଏଥର ମଧ୍ୟ ଓଡ଼ିଶା ସୁରକ୍ଷିତ ରହିବ ବୋଲି ସୋସିଆଲ ମିଡ଼ିଆରେ ନବୀନ ଏକ ପୋଷ୍ଟ ଶେୟାର କରିଛନ୍ତି । ସମସ୍ତେ ଏକହୋଇ ଲଢ଼ିଲେ ବାତ୍ୟା ନିଶ୍ଚିତ ଭାବେ ହାରିବ ଆଉ ଓଡ଼ିଶା ଜିତିବ ।
ସୂଚନାଯୋଗ୍ୟ ଯେ, ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ୨୦୧୩ରେ ‘ଫାଇଲିନ୍’, ୨୦୧୪ରେ ‘ହୁଡହୁଡ’, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ୫ଟି ବାତ୍ୟା ଅମ୍ଫାନ, ୟଶ, ଗୁଲାବ, ବୁଲବୁଲ, ଜୱାଦ ଆଦି ଦେଖିବାକୁ ମିଳିଥିଲା । ମାତ୍ର ସେହି ସମୟରେ ନବୀନଙ୍କ ଉଚ୍ଚକୋଟୀର ବାତ୍ୟା ସୁପରିଚାଳନା ପାଇଁ ଓଡ଼ିଶା ଅନେକ ବଡ଼ ବଡ଼ ବିପଦରୁ ମୁକ୍ତି ପାଇ ପାରିଥିଲା । ଏଥିପାଇଁ ମିଳିତ ଜାତିସଂଘ ତରଫରୁ ଓଡ଼ିଶାକୁ ବଡ଼ ପ୍ରଶଂସା କରାଯାଇଥିଲା । ବାତ୍ୟା ସୁପରିଚାଳନାରେ ଓଡ଼ିଶା ସାରା ବିଶ୍ୱ ପାଇଁ ଆଦର୍ଶ ସାଜିଥିଲା । ଏଥର ମଧ୍ୟ ମୋହନ ଓ ନବୀନଙ୍କ ଏହି ପ୍ରୟାସ ବ୍ୟର୍ଥ ଯିବ ନାହିଁ । ଧୈର୍ଯ୍ୟର ସହ ଲଢ଼େଇ ଜାରି ରଖିଲେ ଓଡ଼ିଶାବାସୀଙ୍କର ବାତ୍ୟା କିଛି ବି କରିପାରିବ ନାହିଁ ।
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି…
— Mohan Charan Majhi (@MohanMOdisha) October 22, 2024
ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ। ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା। ଭୟଭୀତ ନ ହୋଇ, ଆମେ ସମସ୍ତେ ସଜାଗ ରହିବା।…
— Naveen Patnaik (@Naveen_Odisha) October 22, 2024