‘ବାତ୍ୟା, ତୁ ମୋ ଓଡ଼ିଶା ଛାଡ଼ି ଚାଲି ଯା’!: ଉତ୍କଳ ସନ୍ତାନର ସୁରକ୍ଷା ପାଇଁ ଜାଗ୍ରତ ହେଲେ ଉତ୍କଳ ଜନନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ବାତ୍ୟାକୁ ନେଇ ନିୟମିତ ବ୍ୟବଧାନରେ ସମୀକ୍ଷା ବୈଠକ କରିବା ସହିତ ବାତ୍ୟା ମୁକାବିଲାର ସୁପରିଚାଳନା ପାଇଁ ମନ୍ତ୍ରୀ, ବିଧାୟକ, ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଅକ୍ଟୋବର ୨୪ ରାତି ୧୧.୩୦ରୁ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ତେବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟବାସୀଙ୍କୁ ଏ ଘୋର ସଙ୍କଟରୁ ଉଦ୍ଧାର ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ଲୋକଙ୍କର ଦୁଃଖ ସହିପାରି ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣ ଭୟଭୀତ ନହୋଇ ନିଜେ ସୁରକ୍ଷିତ ରହିବା ସହ ପ୍ରିୟଜନଙ୍କ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି । ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ବୁକୁରେ ଏଭଳି ଅନେକ ଭୟଙ୍କର ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଥିଲା । ବାତ୍ୟାର ସୁପରିଚାଳନା ପାଇଁ ନବୀନଙ୍କ ସମୟରେ ଓଡ଼ିଶା ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇଥିଲା ।

ତେବେ ଏସବୁ ଭିତରେ ଆମ ସମସ୍ତଙ୍କର ମା’ ଉତ୍କଳ ଜନନୀ ସତେ ଯେମିତି ଜାଗ୍ରତ ହୋଇଯାଇଛନ୍ତି । ନିଜର ସନ୍ତାନର ସୁରକ୍ଷା ପାଇଁ ମା’ ଯେ କ’ଣ କରିପାରେ ତାହା ବୋଧହୁଏ ସମସ୍ତେ ଭଲଭାବେ ଅବଗତ ଥିବେ । ଗୋଟିଏ ମା’ର ଆଖିରେ ଓଡ଼ିଶା ମାଟିରେ ବାତ୍ୟାର ଏଭଳି ଭୟଙ୍କର ଗର୍ଜନକୁ ସତେଯେମିତି ଉତ୍କଳ ଜନନୀ ସହ୍ୟ କରିପାରି ନାହାନ୍ତି । ଅତୀତରେ ଏପରି ଅନେକ ବାତ୍ୟା ଓଡ଼ିଶାକୁ ଆସିଛି, ମାତ୍ର ଓଡ଼ିଶାବାସୀ ଆଜି ବି ବୀରଦର୍ପରେ ଛିଡ଼ା ହୋଇଛନ୍ତି । ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ୨୦୧୩ରେ ‘ଫାଇଲିନ୍’, ୨୦୧୪ରେ ‘ହୁଡହୁଡ’, ୨୦୧୮ରେ ତିତଲି, ୨୦୧୯ରେ ଫନି, ୨୦୨୦ରେ ୫ଟି ବାତ୍ୟା ଅମ୍ଫାନ, ୟଶ, ଗୁଲାବ, ବୁଲବୁଲ, ଜୱାଦ ଆଦି ଦେଖିବାକୁ ମିଳିଥିଲା । ଏପରି ଯେତେ ବାତ୍ୟା ଆଉ ମହାବାତ୍ୟା ଆସିଲେ ବି ଓଡ଼ିଶାର ସନ୍ତାନଙ୍କର କିଛି କରିପାରିବେ ବୋଲି ବୋଲି ସତେ ଯେମିତି ଉତ୍କଳ ଜନନୀ ସେମାନଙ୍କୁ ସତର୍କ କରିଦେଇଛନ୍ତି ।

ଯଦି ଏଭଳି ହୋଇନଥାନ୍ତା ତେବେ ଗତ ଦୁଇଦଶନ୍ଧି ସମୟ ଭିତରେ ଏତେ ସଂଖ୍ୟକ ବାତ୍ୟା ଆସିଥିଲେ ତାହା ଓଡ଼ିଶାବାସୀଙ୍କୁ କାହିଁକି ପ୍ରଭାବିତ କରିପାରିନାହିଁ । ହୋଇପାରେ କିଛି ଦିନ, ମାସ ପାଇଁ ଓଡ଼ିଶାବାସୀ ଦୁଃଖରେ କାଳାତିପାତ କରିବେ, ମାତ୍ର ସେହି ଲୁହ ଦୀର୍ଘଦିନ ରହିବ ନାହିଁ । ଏ ବୀର ମାଟିର ଉତ୍କଳ ଜନନୀ ପଛକୁ ଭୁଲି ପୁଣି ଆଗକୁ ମାଡ଼ି ଆସିବ । ସମୁଦ୍ରର ଅତଳ ଜଳରେ ଯେତେବେଳେ ସୁ ସୁ ଗର୍ଜନ କରି ବାତ୍ୟା ଓଡ଼ିଶାର ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି, ଠିକ୍ ସେହି ସମୟରେ ଉତ୍କଳ ଜନନୀ ତାଙ୍କ ପ୍ରିୟ ସନ୍ତାନଙ୍କ ସୁରକ୍ଷା ପାଇଁ ସତେ ଯେମିତି ହାତରେ ଅସ୍ତ୍ର ଧରି ବାତ୍ୟାକୁ ଅଟକାଇ ଦେଉଛନ୍ତି । ଉତ୍କଳ ଜନନୀଙ୍କ ପାଇଁ ବାତ୍ୟାର ପ୍ରଭାବ ସତେ ଯେମିତି ଶତ ପ୍ରତିଶତ କମିଯାଉଛି । ଏଭଳି କିଛି ଆଜି ଉତ୍କଳ ସନ୍ତାନମାନେ ନିଜ ନିଜ ହୃଦୟରେ ଅନୁଭବ କରୁଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ଏହି ନାରା ସତେ ଯେମିତି ଆଜିର ବିପଦ ସମୟରେ ସତ ବୋଲି ପ୍ରମାଣିତ ହୋଇଛି । ‘ବାତ୍ୟା ଆସିବ, ମାତ୍ର ଉତ୍କଳ ସନ୍ତାନର କିଛି ହେବ ନାହିଁ’ ଏଭଳି କିଛି କହି ବୋଧହୁଏ ଉତ୍କଳ ଜନନୀ ତାଙ୍କ ସ୍ନେହର ସନ୍ତାନମାନଙ୍କୁ ବୁଝାଉଛନ୍ତି । ତେଣୁ ‘ଦାନା’ ଭଳି ଏଭଳି କେତେ ମହାବାତ୍ୟା ଆସିଲେ ବି ଆମେ ବୀର ସନ୍ତାନମାନେ ଏମିତି ଲଢ଼େଇ ଜାରି ରଖିବା, ଏହା ଆଜି ଉତ୍କଳ ଜନନୀ ଆମକୁ ଶିକ୍ଷା ଦେଉଛନ୍ତି ।