ଚା’ ଓ କଫି ପିଇବା ଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କା କମିଥାଏ: ରିସର୍ଚ

ନୂଆଦିଲ୍ଲୀ: ଚା’ ଓ କଫିକୁ ନେଇ ଅନେକ ମିଥ୍ୟା ଅଛି, ଯେଉଁଥିରେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଚା’ କଫି ପିଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ, ତେଣୁ ଏହାକୁ ସେବନ କରିବା ଉଚିତ୍ ନୁହେଁ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯଦି ଚା’ ଓ କଫିକୁ ନିୟମିତ ମାତ୍ରାରେ ସଠିକ୍ ଉପାୟରେ ସେବନ କରାଯାଏ ତେବେ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ କେବଳ ଏତିକି ନୁହେଁ ଏହା ହୃଦଘାତର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ତେବେ ଆସନ୍ତୁ ଜାଣିବା ହୃଦୟକୁ ସୁସ୍ଥ ରଖିବା ପାଇଁ ଆପଣ କିପରି ଚା’ କିମ୍ବା କଫି ପିଇବା ଉଚିତ୍ ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ମାନେ ନିୟମିତ ଭାବେ ନିର୍ଦ୍ଧାରିତ ପରିମାଣରେ ଚା’ କିମ୍ବା କଫି ପିଅନ୍ତି, ସେମାନେ ହୃଦଘାତର ଆଶଙ୍କାକୁ କମ୍ କରିଥାନ୍ତି। ପ୍ରକୃତରେ କଫିରେ ଥିବା କ୍ୟାଫିନ୍ ଏବଂ ଅନ୍ୟ ପ୍ରାକୃତିକ ଯୌଗିକ ହୃତ୍ପିଣ୍ଡର ଧମନୀରେ ଉନ୍ନତି ଆଣିବା ସହ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ। ଏହା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ଆସିଥାଏ ଏବଂ ହୃଦ୍ଘାତର ଆଶଙ୍କା ମଧ୍ୟ କମ୍ ହୋଇଥାଏ। ଅନ୍ୟପକ୍ଷରେ ଚା’ରେ ଫ୍ଲାଭୋନୋଇଡ୍ ସ ଏବଂ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ପ୍ରଦାହକୁ କମ୍ କରିଥାଏ ଏବଂ ହୃଦ୍ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ। ଏହା ହୃଦଘାତର ଆଶଙ୍କାକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦି ସୀମିତ ମାତ୍ରାରେ ଚା’ ଓ କଫି ସେବନ କରାଯାଏ ତେବେ ଏହା ହୃଦୟ ପାଇଁ ଲାଭଦାୟକ ହୋଇପାରେ, କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ଏହା ଶରୀର ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ। ଆପଣ ଦିନକୁ ୧ରୁ ୨ କିମ୍ବା ୩ କପ୍ ଚା’ କିମ୍ବା କଫି ପିଇପାରିବେ। ବିନା ଚିନିରେ ଚା’ କଫି ପିଇବାକୁ ଚେଷ୍ଟା କରନ୍ତୁ କିମ୍ବା ବ୍ଲାକ୍ ଟି ପିଅନ୍ତୁ। ଗବେଷଣାରୁ ଏହା ମଧ୍ୟ କୁହାଯାଇଛି ଯେ କେବଳ ଚା’ କିମ୍ବା କଫି ପିଇବା ଦ୍ୱାରା ହୃଦଘାତରୁ ରକ୍ଷା ମିଳିପାରିବ ନାହିଁ, ଏହା ସହିତ ସୁସ୍ଥ ଖାଦ୍ୟ, ବ୍ୟାୟାମ ଏବଂ ମାନସିକ ଚାପ ନିୟନ୍ତ୍ରଣ ମଧ୍ୟ ଅତ୍ୟନ୍ତ ଜରୁରୀ ।