ଫେଭିକ୍ୱିକ୍ ବ୍ୟବହାର କରି ବଡ଼ ଧରଣର ଲୁଟ୍; ୧୦୦ଟି ATMରୁ ନେଇଗଲେ ଟଙ୍କା

ନୂଆଦିଲ୍ଲୀ: ଫେଭିକ୍ୱିକ୍ ବ୍ୟବହାର କରି ବଡ଼ ଧରଣର ଲୁଟ୍। ଦିଲ୍ଲରେ ରାତି ପ୍ରାୟ ୯ଟା ବେଳକୁ ବ୍ରିଜେଶ ସିଂହ (ଛଦ୍ମ ନାମ)ଙ୍କୁ କିଛି ନଗଦ ଟଙ୍କା ଦରକାର ଥିଲା। ବ୍ରିଜେଶ ତାଙ୍କ ଏଟିଏମ୍ କାର୍ଡ ନେଇ ନିକଟସ୍ଥ ଏଟିଏମ୍ ବୁଥ୍ ରେ ଟଙ୍କା ଉଠାଇବାକୁ ପହଞ୍ଚିଥିଲେ। ଟଙ୍କା ଉଠାଇବା ପରେ ମେସିନରୁ କାର୍ଡ ବାହାର କରିବାକୁ ଚେଷ୍ଟା କରିବା ମାତ୍ରେ କାର୍ଡ ଅଟକି ରହିଥିବା ଦେଖିବାକୁ ପାଇଥିଲେ। ବହୁ ଚେଷ୍ଟା ପରେ ମଧ୍ୟ କାର୍ଡ ନ ବାହାରିବାରୁ ବ୍ରିଜେଶ ଏଟିଏମ୍ ବୁଥ୍ ରେ ଲିଖିତ କଷ୍ଟମର କେୟାର ନମ୍ବରକୁ ଫୋନ୍ କରି ନିଜର ସମସ୍ୟା ଦର୍ଶାଇ ସାହାଯ୍ୟ ମାଗିଥିଲେ।

କଷ୍ଟମର କେୟାରରେ ବ୍ରିଜେଶଙ୍କୁ ତାଙ୍କ କାର୍ଡ ମେସିନ୍ ରେ ଛାଡ଼ିବାକୁ କୁହାଯାଇଥିଲା। ଖୁବଶୀଘ୍ର ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଘର ଠିକଣାକୁ ନୂଆ କାର୍ଡ ପଠାଯିବ। ବ୍ରିଜେଶ ମଧ୍ୟ ସମାନ କାମ କରି ନିଜ ଘରକୁ ଚାଲିଯାଇଥିଲେ। ସେ ଅଳ୍ପ ଦୂରରେ ପହଞ୍ଚିଥିବା ବେଳେ ତାଙ୍କ ମୋବାଇଲରେ ଏକ ମେସେଜ ଆସିଥିଲା ଯେ ଏଟିଏମରୁ ଟଙ୍କା ଉଠାଯାଇଛି । ବ୍ରିଜେଶ ଆଶ୍ଚର୍ଯ୍ୟ ହୋଇ ସେହି ଏଟିଏମ୍ କୁ ଦୌଡ଼ି ଆସିଥିଲେ। ଏଟିଏମ୍ ବୁଥ୍ ରେ ପହଞ୍ଚିବା ମାତ୍ରେ ବ୍ରିଜେଶଙ୍କ ପାଦ ତଳୁ ମାଟି ଖସି ଯାଇଥିଲା, କାରଣ ମେସିନରେ ଫସି ରହିଥିବା କାର୍ଡ ଆଉ ନଥିଲା। ବାସ୍ତବରେ ବ୍ରିଜେଶ ଏଟିଏମ୍ ଠକେଇରେ ସମ୍ପୃକ୍ତ ଫେଭିକ୍ ଗ୍ୟାଙ୍ଗ୍ ର ଶିକାର ହୋଇଥିଲେ।

ଦିଲ୍ଲୀ ଓ ଫରିଦାବାଦ ଭଳି ଏନସିଆର ସହରରେ ଦୀର୍ଘ ଦିନ ଧରି ଲୋକଙ୍କୁ ଶିକାର କରୁଥିବା ଏହି ଗ୍ୟାଙ୍ଗ। ଅକ୍ଟୋବର ୨୨ତାରିଖରେ ପୁଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ବାସ୍ତବରେ ଅକ୍ଟୋବର ୨୧ ତାରିଖରେ ଏହି ଗ୍ୟାଙ୍ଗ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଏକ ଟିମ୍ ଗଠନ କରି ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ମଙ୍ଗଳବାର ପୁଲିସ ଡିଏନଡି ଛକ ନିକଟରେ ଘେରାଉ କରି ଏହି ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ନଗଦ ୩୫ ହଜାର ଟଙ୍କା, ଗୋଟିଏ ସ୍କ୍ରୁଡ୍ରାଇଭର, ଗୋଟିଏ ପ୍ଲାସ୍, ଗୋଟିଏ ଛୁରି, ଗୋଟିଏ କଳା ମାର୍କର୍ ଏବଂ ଏକ ଫେଭିକ୍ ଟ୍ୟୁବ୍ ଜବତ କରିଛି।