Big Update: ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବ ବାତ୍ୟା, ଦୃଶ୍ୟମାନ ହେଲା ‘ଦାନା’ର ଆଖି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ମାଡ଼ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କା ଘେରରେ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଧାମରା ସ୍ଥଳଭାଗ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବରୁ ଆକଳନ କରିଥିବା ବେଳେ ଏବେ ବାତ୍ୟା ତା’ର ଗତିପଥ ବଦଳାଯାଇଛି । ଚାନ୍ଦବାଲିରେ ବାତ୍ୟା ସ୍ଥଳଭାଗ ଛୁଇଁବ । ଏଥିସହିତ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି । ପାରାଦୀପ ରାଡାକୁ ବାତ୍ୟାର ଆଖି ଆସିଥିବା ଜଣାପଡ଼ିଛି । ଏବେ ଧାମରାଠାରୁ ୧୮୦ କିମି ଦୂରରେ ବାତ୍ୟା ରହିଥିବା ବେଳେ ବାତ୍ୟା ଯେତିକି ଯେତିକି ପାଖକୁ ଆସୁଛି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି ।

ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ଆକଳନ କରାଯାଇଛି । ଫଳରେ କେନ୍ଦ୍ରାପଡ଼ା-ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ । ‘ଦାନା’ର ପ୍ରକୋପ ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି ଓ ତାହା ଆଗକୁ ଧୀରେଧରେ ବଢ଼ିବ । ଆଗକୁ ସମୁଦ୍ର ଅଶାନ୍ତ ହେବା ସହ ପାଖାପାଖି ୨ ମିଟର ଉଚ୍ଚର ଜୁଆର ଆସିବ ବୋଲି କୁହାଯାଉଛି । ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ । ଭୋର ୩ଟା ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ସୂଚନା ଦେଇଛନ୍ତି । ସ୍ଥଳଭାଗ ଛୁଇଁବା ପରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୨ ଜିଲ୍ଲାକୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି ।