ବାତ୍ୟା ଦାନା ଉପରେ ନଜର ରଖିବା ପାଇଁ ସଚିବାଳୟରେ ରାତି ସାରା ରହିବେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାତି ସାରା ରାଜ୍ୟ ସଚିବାଳୟ ନୱାନାରେ ରହି ସାମୁଦ୍ରିକ ଝଡ଼ ‘ଦାନା’ର ସ୍ଥିତି ଉପରେ ନଜର ରଖିବେ। ଦିଦି କହିଛନ୍ତି, ମଣିଷ ଜୀବନ ମୂଲ୍ୟବାନ। ଲୋକଙ୍କ ଜୀବନ ବଞ୍ଚାଇବାକୁ ପଡ଼ିବ। ଏହି କାରଣରୁ ସ୍କୁଲ ବନ୍ଦ ରଖାଯାଇଛି । ସଚିବାଳୟରେ ରାତି ସାରା ରହି ସ୍ଥିତି ଅନୁଧ୍ୟାନ କରିବି ବୋଲି ସେ କହିଛନ୍ତି। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ରହିବେ। ସେଠାରେ ସେମାନଙ୍କ ରହିବା ଓ ଖାଇବା ର ବ୍ୟବସ୍ଥା କରାଯାଉଛି।

ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି କୋଲକାତା ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟାରୁ ୧୫ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରଖାଯାଇଛି। ହୁଗୁଳିରେ ଫେରି ସେବା କୁ ମଧ୍ୟ ବନ୍ଦ କରି ଦିଆଯାଇଛି । ତେବେ କୋଲକାତା ମେଟ୍ରୋର ଜଣେ ମୁଖପାତ୍ର କହିଛନ୍ତି ଯେ ସେବା ସ୍ୱାଭାବିକ ରହିବ। ପୂର୍ବ ଓ ଦକ୍ଷିଣ ପୂର୍ବ ରେଳବାଇର ସିଆଲଦା ଓ ହାଓଡ଼ା ସେକ୍ସନରେ ୨୦୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଏଥିରେ ଲୋକାଲ ବ୍ୟତୀତ ଅନେକ ଦୂରଗାମୀ ଟ୍ରେନ୍ ରହିଛି।

ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ସର୍ବାଧିକ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୩.୫୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ୮୫ ହଜାରରୁ ଅଧିକ ଲୋକ ୮୫୧ଟି ରିଲିଫ୍ କ୍ୟାମ୍ପରେ ପହଞ୍ଚି ସାରିଲେଣି। ସେପଟେ ଆଲିପୁରସ୍ଥିତ ପାଣିପାଗ ବିଭାଗ କହିଛି ଯେ, ଦାନା ଓ ପୃଥିବୀ ସହ ଧକ୍କା ହେବା ସମୟରେ ରାତି ୨ଟା ୩୦ରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସମୁଦ୍ରରେ ୯ରୁ ୧୪.୪୩ ଫୁଟ ଉଚ୍ଚର ଲହରୀ ଉଠିପାରେ।