ଆଶ୍ଚର୍ଯ୍ୟ! ଅନ୍ତରୀକ୍ଷରେ 20 ଖଣ୍ଡ ହୋଇଗଲା ସାଟେଲାଇଟ୍, କମ୍ପାନୀ ବି ଜାଣିପାରିଲାନି କାରଣ

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଫାଟିଲା ସାଟେଲାଇଟ୍ । ୟୁରୋପର ଏକ ବଡ କମ୍ୟୁନିକେସନ ସାଟେଲାଇଟ Intelsat 33e ମହାକାଶରେ ଫାଟିଯାଇଥିବା ଜଣାପଡିଛି । ଏହାକୁ ଅପରେଟ କରୁଥିବା କମ୍ପାନୀ ଇଣ୍ଟେଲସେଟ୍ ଏହା କାମ କରିବା ବନ୍ଦ କରିଦେଇଥିବା ନେଇ ନିଶ୍ଚିତ କରିଛି । ଇଣ୍ଟେଲିସେଟ୍ ପକ୍ଷରୁ କୁହାଯାଇଛି ଯେ, ତଥ୍ୟ ଏବଂ ପର୍ଯ୍ୟବେକ୍ଷଣକୁ ବିଶ୍ଳେଷଣ କରିବା ପାଇଁ ଆମେ ଉପଗ୍ରହ ନିର୍ମାତା ବୋଇଙ୍ଗ ଏବଂ ସରକାରୀ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରୁଛୁ । ଉପଗ୍ରହର ବିଚ୍ଛିନ୍ନତା ହେତୁ ମହାକାଶରେ ଆବର୍ଜନା ବୃଦ୍ଧି ପାଇଛି । ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କୁହାଯାଇଛି ଯେ, ଅକ୍ଟୋବର 19 ତାରିଖରେ 6600 କିଲୋଗ୍ରାମ ଓଜନର ଇଣ୍ଟେଲସାଟ -33 ର ପାଓ୍ବାର ସୋର୍ସ କାମ କରିବା ବନ୍ଦ କରିଦେଇଥିଲା । ଏହାଫଳରେ ସାଟେଲାଇଟ ମଧ୍ୟ ସମ୍ପୁର୍ଣ୍ଣ କାମ କରିବା ବନ୍ଦ କରିଦେଇଥିଲା । ପରେ ଆମେରିକାର ସ୍ପେସ୍ ଫୋର୍ସ ନିଶ୍ଚିତ କଲା ଯେ ଉପଗ୍ରହଟି ଅତି କମରେ 20 ଖଣ୍ଡରେ ଭାଙ୍ଗି ଯାଇଛି । ଏହି ସାଟେଲାଇଟ ମାଧ୍ୟମରେ ୟୁରୋପ, ମଧ୍ୟ ଆଫ୍ରିକା, ମଧ୍ୟ ପୂର୍ବ, ଏସିଆ ଏବଂ ଅଷ୍ଟ୍ରେଲିଆରେ କମ୍ୟୁନିକେସନ ସର୍ଭିସ ପ୍ରଦାନ କରାଯାଇଥିଲା । ଏହି ସାଟେଲାଇଟ ଜିଓଷ୍ଟେସନାରୀ କକ୍ଷପଥରେ (GEO, 35,000 କିଲୋମିଟର ଉଚ୍ଚତାରେ) ବିସ୍ଫୋରଣ ହୋଇଥିଲା । ଯଦି ଦେଖିବା ତାହେଲେ ଭାରତ ସମେତ ଅନେକ ଦେଶର ସାଟେଲାଇଟ୍ ଏଠାରେ ଉପସ୍ଥିତ । ପ୍ରାରମ୍ଭିକ ବିଶ୍ଳେଷଣରୁ ଜଣାପଡିଛି ଯେ ଇଣ୍ଟେଲସାଟ -33 ର ନିକଟତମ ଉପଗ୍ରହଗୁଡ଼ିକ ହେଉଛି ଏକ୍ସପ୍ରେସ- AT1, ୟାମାଲ -402, ଏକ୍ସପ୍ରେସ-ଏମ 6 ଏବଂ ଇଲେକ୍ଟ୍ରୋ-ଏଲ । ଗତବର୍ଷ ସୁଦ୍ଧା ଭାରତ ନିକଟରେ ଜିଇଓରେ 29ଟି ସାଟେଲାଇଟ ରହିଥିଲା ।