Cyclone Dana: ଶେଷ ହେଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ: ବାତ୍ୟା ଦାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ବର୍ତ୍ତମାନ ଶେଷ ହୋଇଛି । ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି । ବର୍ତ୍ତମାନ ସମୟରେ କିଛି ମାତ୍ରାରେ ଦୁର୍ବଳ ହୋଇ ଏହା ଘଣ୍ଟାକୁ 10 କିମି ବେଗରେ ଗତି କରୁଛି । ବାତ୍ୟା ଦାନା ବର୍ତ୍ତମାନ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହି ସମୟରେ ପବନର ବେଗ 80ରୁ 90 ରହିଥିବା ବେଳେ ଦଲକା ପବନର ବେଗ 100 କିଲୋମିଟର ରହିଛି । ଏହା 6ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିଲେ ହେଁ 3 ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଆଲର୍ଟ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଭିତରକନିକା ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ଦାନା । ତେବେ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ବି ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଏବେ ବି ଉଚ୍ଚ ଜୁଆର ଆସୁଛି ।