(Video) ରିଲ୍ସ ପାଇଁ ବିଚ୍ ରାସ୍ତାରୁ ଯୁବକଙ୍କୁ କରୁଥିଲେ ଅପହରଣ; ଧରିପକାଇଲେ ଲୋକେ, ତାପରେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ରାତାରାତି ପରିଚିତ ହେବା ପାଇଁ ଯେକୌଣସି କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶର ମୁଜାଫରନଗରରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯୁବକଜଣକ ଇନଷ୍ଟାଗ୍ରାମ ରିଲ୍ସ କରିବା ପାଇଁ ଜଣେ ସାଙ୍ଗକୁ ଅପହରଣ କରୁଥିବା ଦେଖାଯାଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ଭିଡିଓକୁ ଆଧାର କରି ପୋଲିସ 4ଜଣଙ୍କୁ ଗିରଫ କରିଛି । ଏହି ଫୁଟେଜରେ ମୋଟରସାଇକେଲରେ ଦୁଇଜଣ ବ୍ୟକ୍ତି ଏକ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ନିକଟକୁ ଯାଇଥିଲେ । ଏଠାରେ ବ୍ୟକ୍ତିଜଣକ ଚାଟ୍ ଖାଉଥିବା ବେଳେ ତାଙ୍କୁ ଟାର୍ଗେଟ କରିଥିଲେ ।

ଜଣେ ଆରୋହୀ ପୀଡିତାଙ୍କ ମୁହଁକୁ ଏକ କପଡ଼ାରେ ଘୋଡାଇ ନାଟକୀୟ ଭାବରେ ଆଚ୍ଛାଦନ କରି ତାଙ୍କୁ ଚେତାଶୂନ୍ୟ କରିଦେବାକୁ ଚେଷ୍ଟା କରିଥିଲେ । ଏହା ପରେ ସେମାନେ ଚେତାଶୂନ୍ୟ ବ୍ୟକ୍ତିକୁ ନିଜ ବାଇକରେ ବସାଇ ଦୌଡି ପଳାଇବା ପାଇଁ ଚେଷ୍ଟା କରିଥିଲେ । ଏହା ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ତେବେ କିଛି ସମୟ ଲୋକେ ଦେଖି ରହିବା ପରେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅଟକାଇ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଏନେଇ ପ୍ରଶ୍ନ କରିଥିବା ବେଳେ ସେମାନେ ଇନଷ୍ଟାଗ୍ରାମ ରିଲ୍ସ ପାଇଁ ଏସବୁ କରିଥିବା କଥା କହିଥିଲେ । ତେବେ ବ୍ୟକ୍ତିଜଣକ ଏହି ଭିଡିଓକୁ ଏଡିଟ୍ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । କିନ୍ତୁ ଏହା ଭାଇରାଲ ହେବା ପରେ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଭିଡିଓ ସହିତ ସମ୍ପୃକ୍ତ 4 ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।