ଆସିଲା ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନର ପ୍ରାଥମିକ ରିପୋର୍ଟ; ୧ ଲକ୍ଷ ୭୫ ହଜାର ଏକର ଚାଷ କ୍ଷତିଗ୍ରସ୍ତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସିଲା ବାତ୍ୟା ଦାନାରେ କ୍ଷୟକ୍ଷତି ଆକଳନର ପ୍ରାଥମିକ ରିପୋର୍ଟ । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ । ‘୧ ଲକ୍ଷ ୭୫ ହଜାର ଏକର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ । ପାଣିରେ ବୁଡ଼ିଛି ୨ ଲକ୍ଷ ୮୦ ହଜାର ଏକର । ପ୍ରାରମ୍ଭିକ ଆକଳନ ଅନୁସାରେ ତଥ୍ୟ ହାସଲ ହୋଇଥିବା ସୂଚନା ।

ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କ୍ଷତିପୂରଣ ନେଇ ପଦକ୍ଷେପ ନିଆଯିବ । ଏପଟେ ବାଲେଶ୍ବରରେ ବୁଢ଼ାବଳଙ୍ଗ ଓ ସୋନ ନଦୀରେ ବନ୍ୟା । ବନ୍ୟା ଯୋଗୁଁ ନୀଳଗିରି ଓ ରେମୁଣାର କିଛି ଗାଁ ପାଣି ଘେରରେ ରହିଥିବା ସୂଚନା । କାଂଶ, ବେଗୁନିଆ ଓ କଲ୍ୟାଣପୁର ଗାଁ ପାଣି ଘେରରେ ରହିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ। ରାସ୍ତାରେ ବଡ଼ିଥିବା ଗଛ କାଟି ସଫା କରୁଛନ୍ତି ଅଗ୍ନିଶମ, ଏଡିଆରଏଫ୍ ବାହିନୀ।

ଏହାରି ଭିତରେ ବାଲେଶ୍ବର ସୋରରୁ ଆସିଲା ଏକ ଦୁଃଖଦ ଖବର । ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛକୁ ପିଟିଲା ବସ୍ । ବସ୍‌ର ଆଗପଟ କ୍ଷତିଗ୍ରସ୍ତ, ବସ୍‌ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ସୂଚନା । ଔପଦାରୁ ଯାତ୍ରୀ ନେଇ ଭୁବନେଶ୍ବର ଆସୁଥିଲା ଘରୋଇ ବସ୍ । ସେପଟେ ବାତ୍ୟା ଦାନା କେତେ କ୍ଷୟକ୍ଷତି କରିଛି ? କେଉଁ ଜିଲ୍ଲାରେ କେତେ କ୍ଷତି ? ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।