NPSର ନୂଆ ନିୟମ, ଚାକିରିର 20 ବର୍ଷ ପରେ ସ୍ବେଚ୍ଛାକୃତ ଅବସର ନେଇପାରିବେ କର୍ମଚାରୀ

ନୂଆଦିଲ୍ଲୀ: ଜାତୀୟ ପେନ୍ସନ୍ ସ୍କିମ୍ (NPS) ପ୍ରଥମେ ଜାନୁଆରୀ 2004 ରେ ଆରମ୍ଭ କରାଯାଇଥିଲା । ଏହା ସରକାରୀ କର୍ମଚାରୀଙ୍କ ପାଇଁ ଏକ ଅବସର ଯୋଜନା ଥିଲା । 2009 ମସିହାରେ ଏଥିରେ ସଂଶୋଧନ କରାଯାଇ ଘରୋଇ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ଲାଗୁ କରାଯାଇଥିଲା । NPS ହେଉଛି ଏକ ଦୀର୍ଘକାଳୀନ ସ୍ୱେଚ୍ଛାସେବୀ ପେନସନ ଯୋଜନା ଯାହାକି ସରକାରୀ କିମ୍ବା ବେସରକାରୀ କର୍ମଚାରୀଙ୍କ ପାଇଁ ଏକ ଅବସର ପାଣ୍ଠି ସୃଷ୍ଟି କରିଥାଏ । ଏହା ଉଭୟ ସରକାର ଏବଂ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଦ୍ୱାରା ପରିଚାଳିତ । ବର୍ତ୍ତମାନ ଏହାର ନୂତନ ନିର୍ଦ୍ଦେଶାବଳୀରେ ଏହା ଉଲ୍ଲେଖ କରିଛି ଯେ କେନ୍ଦ୍ରୀୟ କର୍ମଚାରୀମାନେ NPS ଅଧୀନରେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିପାରିବେ ।

ବ୍ୟକ୍ତିଗତ ମନ୍ତ୍ରଣାଳୟ ଅଧୀନରେ ଥିବା ପେନ୍ସନ୍ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoP & PW) ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ 2021 ନିୟମ ଅନୁଯାୟୀ NPS ରେ ଯୋଗ ଦେଉଥିବା ସମସ୍ତ କର୍ମଚାରୀଙ୍କୁ ଏହି ସୁବିଧା ଦିଆଯିବ । ଭଲ୍ୟୁଣ୍ଟାରି ରୁଲ ନିୟମ 12 ଅନୁଯାୟୀ ସ୍ବେଚ୍ଛାକୃତ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଅବସର ନେବାକୁ ଅନୁମତି ଦିଆଯିବ ଏବଂ NPS ନିୟମ ଅନୁଯାୟୀ ପେନ୍ସନ୍ ପାଇବାକୁ ଯୋଗ୍ୟ ହେବେ । ଏହି ନିୟମ ଅନୁଯାୟୀ, NPS ଅଧୀନରେ ଥିବା କେନ୍ଦ୍ରୀୟ କର୍ମଚାରୀମାନେ 20 ବର୍ଷ ସେବା ସମାପ୍ତ କରିବା ପରେ ଯେକୌଣସି ସମୟରେ ସ୍ବେଚ୍ଛାକୃତ ଅବସର ନେଇପାରିବେ । ଏହାର ଅର୍ଥ ହେଉଛି ଯେ, ଚାକିରିରେ ଯୋଗ ଦେବାର 20 ବର୍ଷର ନିରନ୍ତର ସେବା ପରେ କର୍ମଚାକୀମାନେ ସ୍ବେଚ୍ଛାକୃତ ଅବସର ନେଇପାରିବେ ।

ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ, ଯଦି କୌଣସି କର୍ମଚାରୀ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି, ଅତି କମରେ ତିନିମାସ ପୂର୍ବରୁ ଲିଖିତ ଆକାରରେ ନୋଟିସ୍ ଦେବାକୁ ପଡିବ । ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଥିବା କର୍ମଚାରୀଙ୍କ ଆବେଦନକୁ ନିଯୁକ୍ତିଦାତା ପ୍ରତ୍ୟାଖାନ କରିପାରିବେ ନାହିଁ । ନିଯୁକ୍ତିଦାତାଙ୍କୁ ଦିଆଯାଇଥିବା ତିନି ମାସର ବିଜ୍ଞପ୍ତି ଅବଧି ସମାପ୍ତ ହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ । ଏହି ସମୟରେ, ପେନ୍‌ସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଦ୍ୱାରା ଧାର୍ଯ୍ୟ ହୋଇଥିବା ସମସ୍ତ ସୁବିଧା ସରକାର ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ । ପ୍ରକାଶଥାଉକି, ଯଦି କର୍ମଚାରୀ ଅନ୍ୟ ଏକ NPS ଖାତା ଖୋଲିଛନ୍ତି, ତେବେ ଏହି ସୂଚନା PFRDA କୁ ଦେବାକୁ ହେବ ।