ନଭେମ୍ବର ୫ରେ ହେବ NRTS ପରୀକ୍ଷା: ପ୍ରାଥମିକ ବୃତ୍ତି ପରୀକ୍ଷା ତାରିଖ ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିବା ସହିତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିଥିଲେ । ଅକ୍ଟୋବର ୨୩ ଓ ୨୫ରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି (ଏନଆରଟିଏସ) ପରୀକ୍ଷା ୨୦୨୪ ଓ ପ୍ରାଥମିକ ବୃତ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା କେବେ ହେବେ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶା, କଟକ ତରଫରୁ ସୂଚନା ଜାରି କରାଯିବ ବୋଲି କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ବୋର୍ଡ ପକ୍ଷରୁ ଏନଆରଟିଏସ ପରୀକ୍ଷା ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ୨୦୨୪ ତାରିଖ ଘୋଷଣା କରାଯାଇଛି । ନଭେମ୍ବର ମାସ ୫ ତାରିଖ (ମଙ୍ଗଳବାର) ଦିନ ଏନଆରଟିଏସ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୬ ତାରିଖରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷ (ବୁଧବାର) ହେବା ନେଇ ସ୍ଥିରୀକୃତ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ପରୀକ୍ଷା ଚାଲିବ । ସୂଚନାଯୋଗ୍ୟ ଯେ, ଏନଆରଟିଏସ ପରୀକ୍ଷା ଓ ପ୍ରାଥମିକ ବୃତ୍ତି ପରୀକ୍ଷା ପାଇଁ ବୋର୍ଡ ୱେବସାଇଟରେ ଆଡମିଟ୍ କାର୍ଡ ଜାରି ହୋଇ ସାରିଥିଲା । ମାତ୍ର ବାତ୍ୟା କାରଣରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।