ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହୀରାକୁଦ ନଦୀବନ୍ଧର ପାଣି କେତେ ସୁରକ୍ଷିତ ଆପଣମାନେ ତାହା ଜାଣନ୍ତି କି? ପ୍ରତିବର୍ଷ ହୀରାକୁଦ ପାଣିକୁ ଚାଷୀମାନେ ବ୍ୟବହାର କରି ବିଭିନ୍ନ ପ୍ରକାରର ଫସଲ ଅମଳ କରୁଥିବା ବେଳେ ତାହାକୁ ଅନ୍ୟମାନେ ସେବନ କରିଥାନ୍ତି । ତେବେ ହୀରାକୁଦ ଆର୍ଦ୍ୟଭୂମିରେ ଜାମ ହେଉଥିବା ପଟୁରେ ମାତ୍ରାଧିକ ବିପଜ୍ଜନକ ଭାରି ଧାତୁ ରହିଥିବା ନେଇ ଗବେଷଣାରୁ ଜଣାପଡ଼ିଛି । ହୀରାକୁଦରେ ଜମିଥିବା ପ୍ରତି ଗ୍ରାମ ପଟୁରେ ୫୧.୨୫ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ ସୀତା ଓ ୨୬୬ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ କ୍ରୋମିୟମ୍ ଭଳି ଧାତବ ଲବଣ ରହିଛି । ସାଧାରଣ ଭାବେ ଏକ ଗ୍ରାମ ପାଣି କିମ୍ବା ପଟୁରେ ୧୦ ମାଇକ୍ରୋଗ୍ରାମ ସୀସା ଓ ୫୦ ମାଇକ୍ରୋଗ୍ରାମ ପର୍ଯ୍ୟନ୍ତ କ୍ରୋମିୟମ୍ ରହିଲେ ତାହା ଚଳନୀୟ ହୋଇଥାଏ । ମାତ୍ର ହୀରାକୁଦ ପଟୁରେ ନିର୍ଦ୍ଧାରିତ ମାନକ ଠାରୁ ଏହା ପାଞ୍ଚ ଗୁଣ ଅଧିକ ରହିଥିବା ଜଣାପଡ଼ିଛି । ଏହି କ୍ଷତିକାରକ ଧାତବ ଲବଣ ଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିବା ସହିତ ‘କାର୍ସିନୋଜେନିକ ଇଫେକ୍ଟସ’ ବା କର୍କଟ ଭଳି ମାରାତ୍ମକ ରୋଗ ସୃଷ୍ଟିର ପ୍ରମୁଖ କାରଣ ସାଜିପାରେ ।
ହୀରାକୁଦ ଆର୍ଦଭୂମିରେ ଏହିସବୁ ଧାତବ ଲବଣର ମାତ୍ରା ୫ ଗୁଣ ବଢ଼ିଯିବା ସହିତ କାଡମିୟମ, କପର, ମରକ୍ୟୁରୀ, ଦସ୍ତା, ମାଙ୍ଗାନିଜ, ଆର୍ସେନିକ ଭଳି ପ୍ରଦୂଷଣକାରୀ ଭାରିଧାତୁ ଆର୍ଦ୍ରଭୂମିକୁ ପ୍ରଦୂଷିତ କରୁଛି । ତେବେ ଏହା ମଣିଷର ଶରୀରକୁ ସିଧାସଳଖ ଭାବେ ପ୍ରବେଶ ନକଲେ ମଧ୍ୟ ଆର୍ଦ୍ରଭୂମିରୁ ଧରା ହେଉଥିବା ମାଛ, ଚାଷ ହେଉଥିବା ଧାନ ଓ ପନିପରିବା ଖାଇବା ଫଳରେ ତାହା ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାର ଆଶଙ୍କା ରହିଥାଏ । ହୀରାକୁଦ ସମେତ ଓଡ଼ିଶାର ୮ଟି ଆର୍ଦ୍ରଭୂମିରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ତେବେ ତାଳଚେର, ଟିଟିଲାଗଡ଼, ଭଦ୍ରକ ଆର୍ଦ୍ରଭୂମି ପ୍ରତି ବିପଦ ରହିଥିବା ଜଣାପଡ଼ିଛି । ଭଦ୍ରକ ଆର୍ଦ୍ରଭୂମିରେ ପ୍ରତି ଗ୍ରାମରୁ ୩୪.୨୭ ମାଇକ୍ରୋଗ୍ରାମ କପର ବାହାରିଥିଲା । ଛତିଶଗଡ଼ ସମେତ ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ରେ ବ୍ୟାପକ ଖଣି ଖନନ, ଦ୍ରୁତ ଶିଳ୍ପାୟନ କାରଣରୁ ପ୍ରଦୂଷଣର ପ୍ରଭାବ ସିଧାସଳଖ ଜଳଭଣ୍ଡାର ଉପରେ ପଡ଼ୁଛି । ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳ ହୀରାକୁଦ ବନ୍ଧରେ ସୃଷ୍ଟି ହୋଇଥିବା ଫାଟ ଦେଇ ଜଳଭଣ୍ଡାରକୁ ପ୍ରବେଶ କରି ଜଳକୁ ବିଷାକ୍ତ କରୁଛି । ତେଣୁ ଏଥିପ୍ରତି ସତର୍କ ନହେଲେ କିମ୍ବା ପ୍ରତିକାର ବ୍ୟବସ୍ଥା ଗ୍ରହଣ ନକଲେ ତାହା ଆଗାମୀ ଦିନରେ ବିଷମ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।