ଓଡ଼ିଶା ଭାସ୍କର: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟର ସାମନା କରିଛି । ଏହି ସିରିଜକୁ ୦-୩ରେ ହାତଛଡ଼ା କରିବା ପରେ ଏବେ ଅଧିନାୟକଙ୍କ ସହିତ କୋଚ୍ ଗୌତମ ଗମ୍ଭୀରଙ୍କ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ପ୍ରଥମ ଥର ପାଇଁ ଭାରତକୁ ଘରୋଇ ମାଟିରେ ଟେଷ୍ଟ ସିରିଜ(୩ ବା ଅଧିକ ମ୍ୟାଚ୍ ବିଶିଷ୍ଟ)ରେ ହ୍ୱାଇଟ ୱାସର ସାମନା କରିଛି ଟିମ ଇଣ୍ଡିଆ । ଏହି ପରାଜୟ ପରେ ଗମ୍ଭୀରଙ୍କ କୋଚିଙ୍ଗ ଏବଂ ତାଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି । ଯାହାର ଜବାବ ଦେବେ ଟିମ ଇଣ୍ଡିଆର ‘ଗୁରୁ ଗମ୍ଭୀର’ ।
ନ୍ୟୁଜିଲାଣ୍ଡ ସିରିଜ ପରାଜୟ ପରେ ଗୌତମ ଗମ୍ଭୀରଙ୍କ କୋଚିଙ୍ଗ ଏବେ ପ୍ରଶ୍ନ ଘେରରେ ରହିଛି । ୩ ମାସ ପୂର୍ବରୁ ଦଳର କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏହି ସିରିଜ ପରାଜୟ ତାଙ୍କୁ ସମସ୍ୟାରେ ପକାଇଛି । ଗମ୍ଭୀର କୋଚ୍ ଦାୟିତ୍ୱ ନେବା ପରେ ତାଙ୍କୁ ଅନେକ ସ୍ପେସାଲ ପାୱାର ଦେଇଛି ବିସିସିଆଇ । କିନ୍ତୁ ଏହାପରେ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନ ତାଙ୍କ ପଦବୀ ଉପରେ ବିପଦ ଟାଣି ଆଣିଛି । ଗମ୍ଭୀର କୋଚ୍ ହେବା ପରେ ଭାରତ ୨୭ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜରେ ପରାସ୍ତ ହୋଇଥିଲା । ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଲଜ୍ଜାଜନକ ପରାଜୟର ସାମନା କରିଛି ରୋହିତ ସେନା । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଫଳତା ପରେ ଗମ୍ଭୀରଙ୍କ ନିଷ୍ପତ୍ତି ଉପରକୁ ଆଙ୍ଗୁଠି ଉଠିଛି ।
ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଏବଂ ରାହୁଲ ଦ୍ରାବିଡଙ୍କୁ ମିଳିନଥିବା ସୁବିଦା ମଧ୍ୟ ଗମ୍ଭୀରଙ୍କ ପାଇଁ ଉପଲବ୍ଧ କରିଥିଲା ଭାରତୀୟ କ୍ରିକେଟ ବୋର୍ଡ । ବିସିସିଆଇର ନିୟମକୁ ଭଙ୍ଗ କରି ଗମ୍ଭୀରଙ୍କୁ ଚୟନ ସମିତି ବୈଠକରେ ସାମିଲ ହେବାକୁ ମଧ୍ୟ ବୋର୍ଡ ଅନୁମତି ଦେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲା ବିସିସିଆଇ । କିନ୍ତୁ ଏହାପରେ ମଧ୍ୟ ବିଫଳତାର ସ୍ୱାଦ ଚାଖିଛି ଭାରତ । ତେବେ ମୁମ୍ବାଇ ଟେଷ୍ଟରେ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ‘ନାଇଟ ୱାଚମ୍ୟାନ୍’ ଭାବରେ ମଇଦାନକୁ ପଠାଇବା ନିଷ୍ପତ୍ତି ଏବଂ ପ୍ରଥମ ଇନିଂସରେ ସରଫରାଜ ଖାନଙ୍କୁ ୮ ନମ୍ବରରେ ଖେଳାଇବା ନିଷ୍ପତ୍ତି ଗମ୍ଭୀରଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସିରିଜ ହାରିବା ପରେ ମଧ୍ୟ ଗମ୍ଭୀରଙ୍କ ଏଭଳି ରଣନୀତିକୁ ନେଇ କ୍ରିକେଟ ପ୍ରେମୀ ଏବଂ କ୍ରିକେଟ ଏକ୍ସପର୍ଟ ମଧ୍ୟ ପ୍ରଶ୍ନ କରିଛନ୍ତି ।
ଅତି କମରେ ଦୁଇ ଖେଳାଳି – ଦ୍ରୁତ ବୋଲର ହର୍ଷିତ ରାଣା ଏବଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ମୁଖ୍ୟ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶରେ ସୀମା-ଗାଭାସ୍କର ଟ୍ରଫି ଦଳରେ ଅଛନ୍ତି। କୁହାଯାଉଛି ଯେ, ଯଦି ଭାରତ-ଏ ଦଳ ସହିତ ହର୍ଷିତ ରାଣାଙ୍କୁ ଅଷ୍ଟ୍ରେଲିଆ ପଠାଯାଇଥାନ୍ତା, ତେବେ ବାଉନ୍ସିଂ ପିଚରେ ମ୍ୟାଚ୍ ଖେଳିବା ସହ ତାଙ୍କୁ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଅଭିଜ୍ଞତା ମିଳିଥାନ୍ତା । ଏହା ବଦଳରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସେ ଜଣେ ନେଟ୍ ବୋଲର ଭାବରେ ସାମିଲ ହୋଇଥିଲେ ଯେଉଁଥିରେ ତିନୋଟି ପିଚ୍ ମଧ୍ୟରୁ ଦୁଇଟି ର୍ୟାଙ୍କ ଟର୍ଣ୍ଣର ଥିଲା। ସେହିପରି ଅଷ୍ଟ୍ରେଲିଆ-ଏ ବିପକ୍ଷ ମ୍ୟାଚରେ ନୀତୀଶଙ୍କ ସର୍ଟ ବଲ ସାମ୍ନାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କ ବୋଲିଂ ଫର୍ମ ମଧ୍ୟ ଭଲ ଦେଖାଯାଉନଥିଲା। ଦ୍ରୁତ ବୋଲର ଅଲରାଉଣ୍ଡର ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସେ ଆଦର୍ଶ ସ୍ଥାନ ହୋଇପାରନ୍ତି ବୋଲି ଗମ୍ଭୀର ବିଶ୍ୱାସ କରିଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆ ସିରିଜ୍ ଗମ୍ଭୀରଙ୍କ ପାଇଁ ଅଗ୍ନି ପରୀକ୍ଷାଠାରୁ କମ୍ ହେବ ନାହିଁ ଜ୍ଝ ବୋର୍ଡ ତାଙ୍କ ଉପରେ ନଜର ରଖିଛି।