କିଛି ସିନିୟର ଖେଳାଳିଙ୍କୁ ଦଳରୁ ବିଦା କରିବା ଠିକ୍ ହେବ କି: ଏହି ପଦକ୍ଷେପ ଦ୍ୱାରା ଟେଷ୍ଟରେ ଭାରତକୁ ଫାଇଦା ମିଳିବ କି?
ନୂଆଦିଲ୍ଲୀ: ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୩-୦ରେ ଟେଷ୍ଟ ସିରିଜରେ ପରାଜୟ ବରଣ କରିବା ପରେ ଏବେ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିକାଂଶ ସିନିୟର ଖେଳାଳି ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କୁ ଏବେ ଦଳରୁ ବିଦା କରିବା ନେଇ ଯୋଜନା କରାଯାଉଛି । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଥିବା ବେଳେ ଏହା କିଛି ଖେଳାଳିଙ୍କ କ୍ୟାରିୟରକୁ ସମାପ୍ତ କରିଦେଇପାରେ ବୋଲି ଆଲୋଚନା ହେଉଛି । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଦର୍ଶନ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ରେ ଭାରତର ଫାଇନାଲ ଖେଳିବା ଉପରେ ନିର୍ଭର କରୁଛି । ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଏକଦା ଟପରେ ରହିଥିବା ଭାରତ ଏବେ ଘରୋଇ ମାଟିରେ ପରାଜୟ ପରେ ତଳକୁ ଖସି ଆସିଛି ।
ଦୀର୍ଘ ୨୪ ବର୍ଷ ପରେ ଭାରତ ଘରୋଇ ମାଟିରେ ଟେଷ୍ଟ ସିରିଜରେ କ୍ଲିନ୍ ସ୍ୱିପ୍ ହେବା ଘଟଣାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ସହଜରେ ଗ୍ରହଣ କରିନାହିଁ । ଟେଷ୍ଟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ଏମାନଙ୍କୁ ଅତିକମରେ ୨ ଜଣ ଖେଳାଳି ଆଗାମୀ ଟେଷ୍ଟ ସିରିଜ ପରେ ଦଳରୁ ବିଦାୟ ନେଇ ପାରନ୍ତି ବୋଲି କୁହାଯାଉଛି । ତେବେ ଏଠାରେ ଗୋଟିଏ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । କେବଳ ଦଳର ବରିଷ୍ଠ ଖେଳାଳିଙ୍କୁ ଦଳରୁ ବିଦା କରିଦେଲେ କ’ଣ ଟିମ୍ ଇଣ୍ଡିଆ ଗୋଟିଏ ଦିନରେ ଶକ୍ତିଶାଳୀ ହୋଇଯିବ? ଏହା କଦାପି ସମ୍ଭବ ନୁହେଁ ।
ଗୋଟିଏ ଦଳର ବିଜୟ-ପରାଜୟ କେବଳ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ହୁଏ ନାହିଁ । ଏଥିପାଇଁ ଅଧିନାୟକଙ୍କ ରଣନୀତି, ଟିମ୍ ମ୍ୟାନେଜମେଣ୍ଟର ଖେଳାଳି ଚୟନ, ପିଚର ସ୍ଥିତି ଆଦି ଏକ ବଡ଼ ଭୂମିକା ରହିଛି । ଗତ ୨୦୨୩ ଦିନିକିଆ ବିଶ୍ୱକପରେ ପିଚ୍ କାରଣରୁ ହିଁ ଭାରତ ସବୁ ମ୍ୟାଚ ଜିତି ଶେଷରେ ଫାଇନାଲରେ ପରାସ୍ତ ହୋଇଯାଇଥିଲା । ପିଚ ସହ ଛେଡ଼ଛାଡ଼ କରାଯାଇଥିବା ନେଇ କିଛି ପୂର୍ବତନ ଭାରତୀୟ କ୍ରିକେଟର ସ୍ୱର ଉଠାଇଥିଲେ । ତେଣୁ ଏଥର ମଧ୍ୟ ଭାରତ ପିଚକୁ ନେଇ ନିଜର ତ୍ରୁଟିକୁ ସୁଧାରିବା ଆବଶ୍ୟକ । ଏହାକୁ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ଏହି ପରାଜୟ ପାଇଁ ପିଚକୁ ସେ ଦାୟୀ କରିଛନ୍ତି । ଟିମ୍ ଇଣ୍ଡିଆ ପାଇଁ ଉନ୍ନତ ଧରଣର ପିଚର ଜରୁରୀ । ପୂର୍ବ ପୀଢ଼ିର ବ୍ୟାଟ୍ସମ୍ୟାନ ଏପରି ପିଚରେ କେବେ ବି ଖେଳି ନାହାନ୍ତି । ଏହି ପିଚକୁ ୨-୩ ଦିନ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ପିଚମାନଙ୍କରେ ଟିମକୁ ଆଉଟ କରିବାକୁ ମୁରଲୀଧରନ, ଶେନ ୱାର୍ଣ୍ଣ, ସାକଲେନ ମୁସ୍ତକଙ୍କ ପରି ସ୍ପିନ ଯାଦୁଗରଙ୍କ ଆବଶ୍ୟକତା ନାହିଁ । ଜଣେ ସାଧାରଣ ସ୍ପିନର ଏହି ପିଚରେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିପାରିବ । ସେହିପରି ଏହି ପରାଜୟକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏଥିପାଇଁ ଖରାପ ଶର୍ଟ ଚୟନ, ଅଭ୍ୟାସ ମ୍ୟାଚର ଅଭାବ କି ପ୍ରସ୍ତୁତିର ଅଭାବ ଦାୟୀ ବୋଲି ସଚିନ ପ୍ରଶ୍ନ କରିଛନ୍ତି । ତେଣୁ ଟେଷ୍ଟ କ୍ରିକେଟରେ ଭାରତକୁ ଆଗକୁ ନେବାକୁ ବିସିସିଆଇ ସୁପଦକ୍ଷେପ ନେବା ନିହାତି ଜରୁରୀ ।