ନୂଆଦିଲ୍ଲୀ: ଆଜି ଆମେରିକାରେ ଭୋଟ୍ । ବହୁ ପ୍ରତୀକ୍ଷିତ ନିର୍ବାଚନ ଆଜି ଅନୁଷ୍ଠିତ ହେବ । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ ଏଂ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଡ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ଏହି ନିର୍ବାଚନ ଜରିଆରେ ଆମେରିକାକୁ 47ତମ ରାଷ୍ଟ୍ରପତି ମିଳିବ । ତେବେ ଆମେରିକାବାସୀ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ଉପରେ ରହିଛି ସମସ୍ତଙ୍କର ନଜର । ଯଦି ଦେଖିବା କମଳା ଏବଂ ଟ୍ରମ୍ପ ଉଭୟେ ମଇଦାନରେ ଜୋରଦାର ପ୍ରଚାର କରିଛନ୍ତି । ଯଦି ଟ୍ରମ୍ପ ହାରିଯାଆନ୍ତି ଏବଂ କମଳା ବାଜିମାଚ କରନ୍ତି ତେବେ କମଳା ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବ । ତେବେ କମଳା ଏବଂ ଟ୍ରମ୍ପଙ୍କ ବ୍ୟତୀତ ଚେଡ୍ ଅଲିଭର ଏବଂ ଗ୍ରୀନ ପାର୍ଟି ପ୍ରାର୍ଥୀ ଜେଲ ଷ୍ଟେନ ଦ୍ବିତୀୟ ଥର ନିର୍ବାଚନ ଲଢୁଛନ୍ତି । ଚଳିତ ଥର ନିର୍ବାଚନରେ 7ଟି ରାଜ୍ୟ ଉପରେ ଅଧିକ ଫୋକସ କରାଯାଇଛି । ଆରିଜୋନା, ଜର୍ଜିଆ, ମିଚିଗାନ, ନେବାଡୋ, ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ଓ୍ବିସକନସିନ୍ ।
ସୂଚନା ଅନୁସାରେ, ଆମେରିକା ସମୟ ଅନୁସାରେ ଆଜି ସକାଳ 6ଟାରୁ ରାତି 8ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଯଦି ଭାରତୀୟ ସମୟ କଥା ଦେଖିବା ତାହେଲେ ଅପରାହ୍ନ ସାଢେ 4ଟାରୁ ବୁଧବାର ସକାଳ ସାଢେ 6ଟା ଯାଏଁ ମତଦାନ ହେବ । ଏହାର କିଛି ଘଣ୍ଟା ପରେ ହିଁ ଫଳାଫଳ ସାମ୍ନାକୁ ଆସିବ । ତେବେ ଭୋଟଦା ପୂର୍ବରୁ ହିଁ ପ୍ରାୟ ସାଢେ ସାତ କୋଟି ଲୋକ ଆଗୁଆ ମତଦାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜ ପରୋକ୍ଷରେ ବିଜେତାଙ୍କ ସପକ୍ଷରେ ନିଷ୍ପତ୍ତି ଯାଇଥାଏ । ବିଜୟୀ ହେବାକୁ ହେଲେ 50 ରାଜ୍ୟର ମୋଟ 538 ଇଲେକ୍ଟୋରାଲ ଭୋଟ ବା ଇଲେକ୍ଟରଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ 270 ଭୋଟ ଆବଶ୍ୟକ ରହିଥାଏ ।