୫ ବର୍ଷ ପରେ ରାଜ୍ୟରେ ହେବ ହାବିଲଦାର, କନଷ୍ଟେବଳ ଓ ସିପାହି ମହାସଂଘ ନିର୍ବାଚନ: ନଭେମ୍ବର ୧୬ରେ ଭୋଟ, ୧୯ରେ ଗଣତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫ ବର୍ଷ ପରେ ରାଜ୍ୟରେ ହେବାକୁ ଯାଉଛି ହାବିଲଦାର, କନଷ୍ଟେବଳ ଓ ସିପାହି ମହାସଂଘ ନିର୍ବାଚନ । ଆସନ୍ତା ୧୬ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ କରାଯିବ ଓ ୧୯ରେ ଭୋଟ ଗଣତି ହେବ । ଗତ ୨୦୧୯ ମସିହା ଏପ୍ରିଲ ମାସରୁ ମହାସଂଘ କାର୍ଯ୍ୟକାଳ ଶେଷ ହୋଇଥିଲା । ପୁନଃ ନିର୍ବାଚନ ନିଷ୍ପତ୍ତି ଝୁଲି ରହିଥିଲା । ଏହା ମଧ୍ୟରେ ଦୁଇଟି ପ୍ୟାନେଲ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି । ଏଥର ମୈଦାନରେ ଜଣେ ହେଲେ ପୂର୍ବଥରର କର୍ମକର୍ତ୍ତା ନଥିବା ଜଣାପଡ଼ିଛି । ଷଷ୍ଠ ବାଟାଲିୟନରେ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇବା ବୋଲି ଜଣାପଡ଼ିଛି ।

ରାଜ୍ୟ ସରକାରଙ୍କ ଅଧିନରେ ଥିବା ୫୦ଟି ପୋଲିସ ଏଷ୍ଟାବ୍ଲିସମେଣ୍ଟରେ କାର୍ଯ୍ୟରତ ଥିବା ୫୦ ହଜାର ପୋଲିସ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ହାବିଲଦାର, କନଷ୍ଟେବଳ ଓ ସିପାହି ମହାସଂଘ ଏହି ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତ୍ୟେକ ଶାଖା ସଂଘର ୫ ଜଣ ସଦସ୍ୟ ମହାସଂଘର ଦୁଇଟି ପ୍ୟାନେଲକୁ ଭୋଟ ଦେବାର ବ୍ୟବସ୍ଥା ରହିଛି । ଏହାର ଅର୍ଥ ହେଉଛି, ମହାସଂଘ ନିର୍ବାଚନରେ ପ୍ରତି ଶାଖା ସଂଘରୁ ୫ ଜଣ ଲେଖାଏଁ ଏପରି ଭାବେ ମୋଟ ୨୫୦ ଜଣ ସଦସ୍ୟ ଭୋଟ ଦେବେ । ଏହି ନିର୍ବାଚନ ପ୍ରକ୍ରିୟାରେ ଆଇଜି ପର୍ସୋନେଲ ପ୍ରବୀଣ କୁମାର କେନ୍ଦ୍ରୀୟ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ତାଙ୍କୁ ଆଇଜି ପର୍ସୋନେଲ ପ୍ରଦୀପ କୁମାର ଦଳେଇ, ଏଆଇଜି ପ୍ରୋଭିଜନିଂ ବାମଦେବ ସିଂହ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିବେ । ୭ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାରର ସମୟ ରହିଛି । ସେହିଦିନ ଅପରାହ୍ଣ ୫ଟା ସମୟର ନାମାଙ୍କନର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ଓଡ଼ିଶା ପୋଲିସ ପ୍ରେସରେ ବାଲଟ୍ ପେପର ପ୍ରିଣ୍ଟ କରାଯିବ ଓ ପ୍ରତି ଏଷ୍ଟାବ୍ଲିସମେଣ୍ଟକୁ ୬ଟି ସେଟ୍ ବାଲଟ୍ ପେପର ପଠାଯିବ । ସୂଚନାଯୋଗ୍ୟ ଯେ, ୧୯୮୦ ମସିହା ଠାରୁ ଏହି ନିର୍ବାଚନ ହୋଇ ଆସୁଥିବା ବେଳେ ୨୦୧୭ ଏପ୍ରିଲରେ ଶେଷ ଥର ନିର୍ବାଚନ ହୋଇଥିଲା ।